Categories: ରାଜ୍ୟ

କେମିତି ହେବ ଭୋଟଗଣତି

ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍‌ଓ ଗ୍ରହଣ କରିଥିବା ବାଲଟ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲଟ ଗଣନା ଆରମ୍ଭର ୩୦ ମିନିଟ ପରେ ଇଭିଏମ୍‌ ଭୋଟ ଗଣନା ଆରମ୍ଭ ହେବ। ଯେଉଁ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ ନ ଥିବ ସେଠାରେ ଧାର୍ଯ୍ୟ ସମୟ ଅନୁଯାୟୀ ଇଭିଏମ୍‌ ଭୋଟଗୁଡ଼ିକର ଗଣନା ଆରମ୍ଭ ହେବ।

ଭୋଟ ଗଣନା ପାଇଁ ଫର୍ମ-୧୭ସି ସହ କେବଳ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌(ସିୟୁ)ଗୁଡ଼ିକୁ ବ୍ୟବହାର କରାଯିବ। ଫଳାଫଳ ପୂର୍ବରୁ ଗଣନାକାରୀ ଅଧିକାରୀ ସିୟୁର ପେପର ସିଲ୍‌ ଅକ୍ଷୁଣ୍ଣ ଥିବା ଏବଂ ଫର୍ମ-୧୭ସିରେ ଥିବା ସଂଖ୍ୟା ସହ ମୋଟ ଭୋଟକୁ ମେଳ କରାଇ ନିଶ୍ଚିତ ହେବେ। କଣ୍ଟ୍ରୋଲ ୟୁନିଟ୍‌ର ଫଳାଫଳକୁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବ୍‌ଜରଭର ଏବଂ ପ୍ରାର୍ଥୀଙ୍କ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଦେଖାଇବା ପରେ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରାଯିବ। କୌଣସି ସିୟୁର ଡିସ୍‌ପ୍ଲେ ପ୍ୟାନେଲ୍‌ରେ ଫଳାଫଳ ଦେଖାଉ ନଥିଲେ ସମ୍ପୃକ୍ତ ଭିଭିପିଏଟିର ସ୍ଲିପ୍‌ଗୁଡ଼ିକୁ ଗଣନା କରାଯିବ।

କାଉଣ୍ଟିଂ ସୁପରଭାଇଜର ଏବଂ ଏଜେଣ୍ଟ ପ୍ରତି ସିୟୁର ପ୍ରାର୍ଥୀଓ୍ବାରି ଫଳାଫଳ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରିବେ। ଗଣତି ଶେଷରେ ଭିଭିପିଏଟି ସ୍ଲିପ୍‌ଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ବ୍ୟବସ୍ଥା ଅନୁଯାୟୀ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌କୁ ଚୟନ କରାଯାଇ ଗଣନା କରାଯିବ। ଖାରଜ ପୋଷ୍ଟାଲ ବାଲଟ ସଂଖ୍ୟାଠାରୁ ବିଜୟ ବ୍ୟବଧାନ କମ୍‌ ହେଲେ ଫଳାଫଳ ଘୋଷଣା ପୂର୍ବରୁ ନାକଚ ବାଲଟଗୁଡ଼ିକର ପୁନଃ ଯାଞ୍ଚ କରାଯିବ। ଯଦି ୨ ଜଣ ପ୍ରାର୍ଥୀ ସମାନ ସଂଖ୍ୟକ ସର୍ବାଧିକ ଭୋଟ ପାଇଥିବେ, ତେବେ ଧର୍ମଗୁଳା ଜରିଆରେ ଫଳାଫଳ ଘୋଷଣା କରାଯିବ।

Share