୪,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଏଚ୍‌ପିସି ଅନୁମୋଦନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଗ୍ରାମ୍ୟ ରାସ୍ତା, ପୋଲ, ବିଦ୍ୟୁତୀକରଣ, ପାନୀୟଜଳ, ଆଡ଼ିବନ୍ଧ, ବ୍ୟାରେଜ ନିର୍ମାଣ, ଗ୍ରାମାଞ୍ଚଳ ଜୀବନଜୀବିକା ଉନ୍ନତୀକରଣ ଆଦି ୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କର ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି (ଏଚ୍‌ପିସି)ରେ ଅନୁମୋଦନ କରାଯାଇଛି। ନାବାର୍ଡ ପକ୍ଷରୁ ଦିଆଯାଉଥିବା ଋଣରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବ। ପ୍ରକଳ୍ପ ପାଇଁ ସମସ୍ତ ଅର୍ଥ ନାବାର୍ଡ ରାଜ୍ୟ ସରକାରଙ୍କୁ ଋଣ ଆକାରରେ ଯୋଗାଇବ। ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚ୍‌ପିିସି ବୈଠକରେ ଆରଆଇଡିଏଫ ପ୍ରଦତ୍ତ ଅର୍ଥରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ, କୃଷି ବିଭାଗ ସଚିବ, ଜଳ ସମ୍ପଦ ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗ ସଚିବ, ପୂର୍ତ୍ତ ସଚିବ, ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗ ଦେଇଥିଲେ।

Share