ଭୁବନେଶ୍ୱର,୨୦।୫: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ କ୍ରମେ ହୃଷୀକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ସେହିପରି ଉପସଭାପତି ଭାବେ ସଂଗ୍ରାମ ଜେନା ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି। ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ ହୋଇଛି। ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି। ନାଟ୍ୟକାର ମନ୍ମଥ କୁମାର ଶତପଥୀ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ହୋଇଛନ୍ତି । ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ ହୋଇଛି। ଲଲିତ କଳା ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ ହୋଇଥିବା ବେଳେ ସମ୍ପାଦକ ପଞ୍ଚାନନ ସାମଲ ମନୋନୀତ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ ।