ହ୍ରିତିକ୍‌ଙ୍କୁ ମିଳିଗଲା ନୂଆ ପ୍ରେମିକା

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ବଲିଉଡର ପ୍ରାୟ ସମସ୍ତ ଆଗଧାଡିର କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ଏହି ପାର୍ଟିର ସବୁଠୁ ଆକର୍ଷିତ ଯୋଡି ଥିଲେ ହ୍ରିତିକ ରୋଶନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ। ଉଭୟ ପରସ୍ପରର ହାତ ଧରି ପାର୍ଟିରେ ପହଞ୍ଚିଥିଲେ। ହ୍ରିତିକ ଏବଂ ସବା ପାର୍ଟିରେ ପ୍ରବେଶ କରିବା ମାତ୍ରେ ସମସ୍ତ ନଜର ସେମାନଙ୍କ ଉପରେ ଥିଲା। ଉଭୟ କଳା ଡ୍ରେସ୍‌ ପିନ୍ଧିଥିଲେ। ପାର୍ଟି ସମୟରେ ଦୁହେଁ ବହୁତ ଖୁସି ଦେଖାଯାଉଥିଲେ। ପ୍ରଥମ ଥର କୌଣସି ପାର୍ଟିରେ ସବାଙ୍କ ସହ ହ୍ରିତିକ  ଫଟୋ ପୋଜ୍‌ ଦେଇଛନ୍ତି। ଯଦିଓ ପୂର୍ବରୁ ଉଭୟଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହାପୂର୍ବରୁ ଦୁହେଁ ଫଟୋ ପାଇଁ ଏକତ୍ର ପୋଜ୍‌ ଦେଇ ନ ଥିଲେ।
ହ୍ରିତିକ ଦୀର୍ଘ ଦିନ ଦିନର ପ୍ରେମ ସମ୍ପର୍କ ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି।
ହ୍ରିତିକ ରୋଶନ ଖୁବ ଶୀଘ୍ର ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଫିଲ୍ମ ‘ଫାଇଟର୍‌’ରେ ନଜର ଆସିବେ। ଏହି ଫିଲ୍ମରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ଏହି ଯୋଡି ପ୍ରଥମ ଥର ପରଦାରେ ଏକାଠି ଅଭିନୟ କରିବେ। ଏହି ଫିଲ୍ମ ଆସନ୍ତା ବର୍ଷ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Share