ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦକ୍ଷିଣ କୋଲକାତାର ଚେତଲାସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

ନିର୍ମଳା ଉଭୟେ ବଙ୍ଗଳା ଏବଂ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଓଡ଼ିଆରେ ସେ ‘ନିଦ ଭରା ରାତି ମଧୁଝରା ଜହ୍ନ’ ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା, ଛାଡ଼ ଛାଡ଼ ମୋର ଅଞ୍ଚଳ, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ି , ଢେଉ ଢେଉକା ପାହାଡ଼ ତଳେ, ଯୋଛନା ଲୁଚନା, ସଞ୍ଜ ସକାଳେ ତୁମ ଛବି ଆଦି ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିତିଥିଲେ। ସେ ବାଳକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସେହିପରି ସେ ବଙ୍ଗଳାରେ ‘ଏମନ୍‌ ଏକ୍‌ଟା ଝିନୁକ୍‌, ‘ବୋଲୋ ତୋ ଆର୍‌ସି’ ‘ଏଇ ବାଙ୍ଗ୍‌ଲାର ମାଟି ତେ’ ପରି ଅନେକ ହିଟ୍‌ ଗୀତ ଗାଇଥିଲେ।

ନିର୍ମଳା ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ। ପ୍ରାୟ ୨୦ଟି ଓଡ଼ିଆ ଫିଲ୍ମରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ ସେ କଣ୍ଠଦାନ କରିଥିଲେ।

Share