ଚଣ୍ଡିଗଡ଼,୨୭ା୧୧: କୃଷି ଆଇନ ବିରୋଧରେ ନୂଆଦିଲ୍ଲୀରେ ଚାଷୀ ଆନ୍ଦୋଳନର ତୃତୀୟ ବାର୍ଷିକୀ ଅବସରରେ ଚଣ୍ଡିଗଡ଼ରେ ବିଶାଳ ବିକ୍ଷୋଭ ହେବାକୁ ଯାଉଛି। ପଞ୍ଜାବ ଓ ହରିୟାଣାରୁ ବହୁସଂଖ୍ୟାରେ ଚାଷୀ ଏହି ୩ ଦିନିଆ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦିଲ୍ଲୀ ଆନ୍ଦୋଳନ ସମୟରେ କୃଷକ ସଂଗଠନଗୁଡ଼ିକ ରଖିଥିବା କେତେକ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇ ନ ଥିବାରୁ ଏହାର ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ହଜାର ହଜାର ଚାଷୀ ଟ୍ରାକ୍ଟର ଟ୍ରଲିରେ ଚଣ୍ଡିଗଡ଼ ଆସୁଥିବାରୁ ଏହା ସିଙ୍ଘୁ-ଟିକ୍ରି ସୀମାରେ ହୋଇଥିବା ସମାବେଶ ଅନୁରୂପ ହେବାକୁ ଯାଉଛି। ଚାଷୀମାନଙ୍କୁ ଅଟକାଇବା ପାଇଁ ପଞ୍ଜାବ, ଚଣ୍ଡିଗଡ଼ ଏବଂ ହରିୟାଣା ପୋଲିସ ପକ୍ଷରୁ ଆନ୍ତଃରାଜ୍ୟ ସୀମାଗୁଡ଼ିକୁ ସିଲ୍ କରିଦିଆଯାଇଛି। କୃଷକମାନେ ମୋହାଲିର ଗୁରୁଦ୍ୱାରା ଅମ୍ବା ସାହିବରେ ଏକାଠି ହୋଇ ସେଠାରୁ ସୋମବାର ଚଣ୍ଡିଗଡ଼ ଅଭିମୁଖେ ଶୋଭାଯାତ୍ରା କରିପାରନ୍ତି ବୋଲି ଆଶା କରାଯାଉଛି।