ସାବେରୀ ନଦୀରୁ ଧରାହେଲା ବିରାଟକାୟ ମାଛ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ସାଧାରଣତଃ ସମୁଦ୍ରରେ ସାର୍କ, ତିମି, ଭଳି ବିରାଟ ବିରାଟକାୟ ମାଛ ଧରା ଯାଇଥାଏ। ଏହି ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥିବା ବେଳେ ମତ୍ସ୍ୟଜୀବୀ ଏହି ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ମାଲକାନଗିରି ଭଳି ଏକ ଉପାନ୍ତ ଅଞ୍ଚଳରେ ଏକ ବିରାଟକାୟ ମାଛ ଆଦିବାସୀ ମତ୍ସ୍ୟଜୀବୀମାନେ ଧରିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଛି।

ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ନିକଟ ସାବେରୀ ନଦୀକୁ ସ୍ଥାନୀୟ ଆଦିବାସୀ ମତ୍ସ୍ୟଜୀବୀମାନେ  ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏହି ବିରାଟକାୟ ମାଛଟି ପଡ଼ିଥିଲା। ମତ୍ସ୍ୟଜୀବୀମାନେ ଏହା ଏକ ତିମି ଭାବି ଭୟଭୀତ ହୋଇଯାଇଥିଲେ। ପରେ ସ୍ଥାନୀୟ ଗ୍ରମବାସୀଙ୍କ ସହଯୋଗରେ ଜାଲ ଚାରିପଟୁ ମାଟିକୁ ମିଶାଇ କୌଶଳ କ୍ରମେ ମାଛକୁ ଧରିବାରେ ସଫଳ ହୋଇଥିଲେ। ଏହାର ଓଜନ ୭୦ କେଜିରୁ ଅଧିକ ବୋଲି ଜଣାପଡ଼ିଛି।ଏହି ମାଛକୁ ଡେଭିଲକ୍ୟାଟ୍‌ ମାଛ ବା ବାୟୋଲୋଜିକାଲ ନାମ ବାଗାରିୟସ ମାଛ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି, ଏହି ସାବେରୀ ନଦୀ ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଛି।

Share