Categories: ଜାତୀୟ

ଉଦ୍ଧାର କାର୍ଯ୍ୟ ଜାରି : ଖାଦ୍ୟ ଅକ୍ସିଜେନ୍‌ ପଠାଗଲା

ଡେରାଡୁନ୍‌,୧୪ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଅନ୍ତର୍ଗତ ଯମୁନେତ୍ରୀ-ଉତ୍ତରାଖଣ୍ଡ ଜାତୀୟ ରାଜପଥ କାମ ଚାଲିଥିବାବେଳେ ରବିବାର ଭୋର ସମୟରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୫ ଓଡ଼ିଆଙ୍କ ସମେତ ୪୦ରୁ ଊଦ୍ଧ୍ୱର୍ର୍ ଶ୍ରମିକ ଫସି ରହିଛନ୍ତି। ଉତ୍ତରକାଶୀର ସିଲ୍‌କ୍ୟାରା ସହ ଡଙ୍ଗାଲଗାଓଁକୁ ଏହି ସୁଡ଼ଙ୍ଗ ଯୋଡ଼ୁଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଖୋଳି ସେଥିରେ ଫସିରହିଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ଓଜନଦାର ଏସ୍କାଭେଟର ମେଶିନ୍‌ଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଫସିଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ ହୋଇପାରିଛି ଓ ସେମାନେ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଇପ୍‌ଲାଇନ୍‌ ଜରିଆରେ ସେମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅକ୍ସିଜେନ୍‌ ପଠାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଦୁର୍ଘଟଣାସ୍ଥଳ ଗସ୍ତ କରି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର ଲାଗି ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟରେ ପୋଲିସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀ ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଛି।
ଖବର ଅନୁଯାୟୀ ରବିବାର ଭୋର ପ୍ରାୟ ୪ଟା ବେଳେ ୪.୫ କିଲୋମିଟର ଦୀର୍ଘ ଟନେଲ ମଧ୍ୟରୁ ୧୫୦ ମିଟର ଭୁଶୁଡ଼ି ପଡ଼ିଥିଲା। ଚାର୍‌ଧାମ୍‌ ରୋଡ୍‌ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଉକ୍ତ ସୁଡ଼ଙ୍ଗ କାର୍ଯ୍ୟକାରୀ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମକୁ ରାସ୍ତା ୨୬ କିଲୋମିଟର ହ୍ରାସ ପାଇବ।

Share