
ସମ୍ବଲପୁର,୬।୪(ଭବାନୀ ଶଙ୍କର ଭୋଇ): ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରବିବାର ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସମନ୍ବ୍ବୟ ସମିତି ପକ୍ଷରୁ ହନୁମାନ ଜୟନ୍ତୀର କିଛିଦିନ ପୂର୍ବରୁ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ତେବେ ଚଳିତ ବର୍ଷ ରାମନବମୀ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇ ସହର ପରିକ୍ରମା କରିଥିଲା। ଶ୍ରୀରାମ ନବମୀ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ବାଇକ ଶୋଭାଯାତ୍ରା ହୋଇଥିଲା।
ସହରର ଗୋବିନ୍ଦତୋଲା ଏବଂ କ୍ଷେତରାଜପୁରରୁ ଦୁଇଟି ବାଇକ ଶୋଭାଯାତ୍ରା ବାହାରି ଜେଲଛକ ନିକଟରେ ସମ୍ମିଳିତ ହୋଇଥିଲା। ଜୟ ହନୁମାନ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ସହର। ହନୁମାନ ଜୟନ୍ତୀ ସମନ୍ବୟ ସମିତି ସଭାପତି ଜୟନାରାୟଣ ମିଶ୍ର ବାଇକ ଶେଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ଭୂତାପଡା ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଇକ ଶୋଭାଯାତ୍ରାରେ ଦୁର୍ଗା ବାହିନୀର ମହିଳାମାନେ ସବୁଠାରୁ ଆଗରେ ରହିଥିଲେ। ଏହାସହ ବୁର୍ଲା, ହୀରାକୁଦ, ରେମେଡ, ବରାଇପାଲି, କ୍ଷେତରାଜପୁର, ବଡବଜାର, ଅଇଁଠାପାଲି, ବୁଢ଼ାରଜା, ପୁରୁଣା ବସ୍ତି, ଧନୁପାଲି, ମୁଦିପଡା, ଧନକଉଡା, ସାକ୍ଷୀ ପଡା ହନୁମାନ ଜୟନ୍ତୀ କମିଟି ସମେତ ବଜରଙ୍ଗ ଦଳ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଗୋବିନ୍ଦତୋଲା, ଭୂତାପଡ଼ାଛକ, ମୋତିଝରନ, ସୁନାପାଲି, ଧନକଉଡ଼ା, ଅଇଁଠାପାଲି, ମୁଦିପଡ଼ା, ଜିଲା ସ୍କୁଲ ଛକ, ସେନ ପାର୍କ, ଶକ୍ତି ଛକ, ଗୋଲ ବଜାର ଛକ, କୁଞ୍ଜେଲପଡ଼ା, ଝାରୁଆପଡ଼ା, ଦଲେଇପଡ଼ା ଦେଇ ନଗର ପରିକ୍ରମା କରି ପୁରୁଣା ମ୍ୟୁନିସିପାଲିଟି ଛକରେ ପହଞ୍ଚିବା ପରେ ଗଙ୍ଗାଧର ମଣ୍ଡପଠାରେ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ବାଇକ ଶେଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍ପି ମୁକେଶ କୁମାର ଭାମୂ ନେତୃତ୍ୱ ନେଇଥିଲେ। ୨୦୨୩ ମସିହାରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁନାପାଲି ମୋତିଝରନ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଥିଲା।
ବାଇକ ଶେଭାଯାତ୍ରାକୁ ସତ୍ୟ ନାରାୟଣ ପଣ୍ଡା, ଦାମୋଦର କର, ଶୁଭଶ୍ରୀ ମିଶ୍ର, ରାଜୀବ ଶତପଥୀ, ଗୋବିନ୍ଦ ଅଗ୍ରୱାଲ, ବିପିନ ଭାଟିଆ, ଜୟବ୍ରତ ଦେ, ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ରାମଚନ୍ଦ୍ର ମେହେର, ସୁଧୀର ବହିଦାର, କାହ୍ନୁରାମ ଶର୍ମା, ଶିବ ଦିୱାନ ପ୍ରମୁଖ ଉପସ୍ଥିତ ଶୃଙ୍ଖଳିତ କରିଥିଲେ ।