ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ ଜଣଙ୍କୁ ଏସ୍‌ଟିଏଫ୍‌ ପକ୍ଷରୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଅନେକ ଦିନ ହେଲା ଛେଣ୍ଡିପଦା ଅଞ୍ଚଳରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ବିକ୍ରି ହେଉଥିବାର ସୂଚନା ମିଳିଥିଲା । ଶୁକ୍ରବାର ରାତିରେ ସୂଚନା ମିଳିବା ପରେ ଅନୁଗୋଳ ଛେଣ୍ଡିପଦା ପୋଲିସ ସହାୟତାରେ ଭୁବନେଶ୍ବରର ଏସ୍‌ଟିଏଫ ଛେଣ୍ଡିପଦା ଥାନା ଅଞ୍ଚଳର କେରଜାଙ୍ଗ ଗାଁ ନିକଟରେ ରାସ୍ତା କଡରେ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ଚଢ଼ାଉ କରିଥିଲା । ଚାଢାଉ ବେଳେ ତାଙ୍କ ନିକଟରୁ ପୋଲିସ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ ସହିତ ୨୮ ବର୍ଷୀୟ ରତ୍ନାକର କାଲଟାଙ୍କୁ ପୋଲିସ ପକ୍ଷରୁ କାବୁ କରାଯାଇଛି । ରତ୍ନାକରଙ୍କ ଘର ଛେଣ୍ଡିପଦା ଥାନା ସୀମାନ୍ତ ସମ୍ବଲପୁର ଜିଲା ନାକିଟଦେଉଳ ଥାନା ସରପାଲି ଅଞ୍ଚଳରେ ହୋଇଥିବା ଜଣାପଡିଛି । କିଛିଦିନ ହେଲା ଚୋରା ବନ୍ଧୁକ ବେପାର ବଢ଼ି ଚାଲିଥିଲା । ଏ ନେଇ ଛେଣ୍ଡିପଦା ଥାନା କେସ୍‌ ନଂ ୫୮୯/୨୧ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରହିଛି ।