Categories: ଜାତୀୟ

ମହାପଞ୍ଚାୟତକୁ ବିପୁଳ ସମର୍ଥନ

ଶାମଲି (ୟୁପି), ୬।୨: ପ୍ରଶାସନର ନିଷିଦ୍ଧାଦେଶକୁ ଭ୍ରୂକ୍ଷେପ ନ କରି ଶୁକ୍ରବାର ଉତ୍ତରପ୍ରଦେଶର ଶାମଲିଠାରେ ହଜାର ହଜାର ଚାଷୀ କିଷାନ ମହାପଞ୍ଚାୟତରେ ଯୋଗଦେଇଛନ୍ତି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଏହି ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ଦୁଇଦିନ ପୂର୍ବରୁ କୋଭିଡ୍‌ କଟକଣା ଲାଗିଥିବା ଦର୍ଶାଇ ରାଜ୍ୟ ସରକାର ସଭା ପାଇଁ ଅନୁମତି ଦେଇ ନ ଥିଲେ। ବହୁସଂଖ୍ୟାରେ ଚାଷୀ ଚାଲି ଚାଲି କିମ୍ବା ଟ୍ରାକ୍ଟରରେ ଆସି ସଭାସ୍ଥଳରେ ପହଞ୍ଚତ୍ଥିଲେ। ସରକାର ଯଦି ଚାଷୀଙ୍କ କଥା ନ ଶୁଣୁଛି, ତେବେ ଆସନ୍ତା ବର୍ଷ ନିର୍ବାଚନରେ ଚାଷୀମାନେ ଅନୁରୂପ ପଦକ୍ଷେପ ନେବାକୁ ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀ ଆହ୍ବାନ ଦେଇଥିଲେ। ହରିୟାଣାର ସିର୍ସାରେ ଶୁକ୍ରବାର ଆୟୋଜିତ ମହାପଞ୍ଚାୟତରେ ଆଇଏନ୍‌ଏଲ୍‌ଡି ନେତା ଅଭୟ ଚୌତାଲା ଉକ୍ତ ସଭାରେ ଉଦ୍‌ବୋଧନ ଦେଇଥିଲେ।

Share