Categories: ଖେଳ

କୋଲ୍‌କାତା ଆଗରେ ୨୨୯ ରନ୍‌ର ବିଶାଳ ଟାର୍ଗେଟ

କୋଲ୍‌କାତା,୧୪।୪: କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଓପ୍‌ନର ହାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ ବଳରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୨୮ ରନ୍‌ କରିଛି। ଫଳରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଗରେ ୨୨୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ହାଇଦ୍ରାବାଦ।

ଦଳର ଦୁଇ ଓପ୍‌ନର ହାରି ବ୍ରୁକ ଏବଂ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ଷ୍ଟାର୍ଟ ଦେଇଥିଲେ। ଦଳୀୟ ସ୍କୋର ୪୧ ରନ୍‌ରେ ମୟଙ୍କ ୯ ରନ୍‌ କରି ଆଉଟ ହୋଇଯାଇଥିଲେ। ସେହିପରି ରାହୁଲ ତ୍ରିପାଠୀ ମଧ୍ୟ ୮ ରନ୍‌ କରି ବିଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଧିନାୟକ ଏଡେନ ମାରକ୍ରମ ଏବଂ ବ୍ରୁକ ଧୈର୍ଯ୍ୟର ସହ ଖେଳି ଦଳ ରନ୍‌କୁ ଆଗକୁ ନେଇଥିଲେ। ଅଧିନାୟକ ଏଡେନ ୨୬ ବଲ୍‌ରେ ୫୦ ରନ୍‌ (୨ ଚୌକ୍କା ଏବଂ ୫ ଛକା) ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏପରି କି ବ୍ରୁକ ୫୫ ବଲ୍‌(୧୨ ଚୌକା ଏବଂ ୩ ଛକା)ରେ ୧୦୦ ରନ୍‌ର ବିସ୍ଫୋରକ ନଟ୍‌ଆଉଟ୍‌ ଇନିଂସ୍‌ ଖେଳିଥିଲେ। ସେହିପରି ଅଭିଷେକ ଶର୍ମା ୧୬ ବଲ୍‌ରେ ୩୨ ରନ୍‌ କରିଥିବା ବେଳେ ହେନେରିକ୍‌ କ୍ଲାସେଁ ୧୬ ରନ୍‌ କରି ଅପରାଜିତ ରହିଥିଲେ।

Share