ମୁମ୍ବାଇ: ବଲିଉଡ୍ ନାୟିକା ହୁମା କୁରେସି ଆଜି ଜଣେ ସଫଳ ନାୟିକା ଭାବେ ଜଣାଶୁଣ। ୨୮ ଜୁଲାଇ ୧୯୮୬ରେ ଜନ୍ମ ନେଇଥିବା ହୁମାଙ୍କ ପିତା ଜଣେ ବ୍ୟବସାୟୀ। ଦିଲ୍ଲୀରେ ତାଙ୍କର ବ୍ୟବସାୟ ଚାଲିଥିବା ବେଳେ ହୁମା କିନ୍ତୁ ମଡେଲିଂରେ ରୁଚି ରଖିଥିଲେ। ପ୍ରଥମେ ତାଙ୍କୁ ଅନୁରାଗ କଶ୍ୟପ ବଲିଉଡ୍ ଟିକେଟ ଦେଇଥିବା ବେଳେ ସେ କିନ୍ତୁ ନାୟକ ଆମିର ଖାଁଙ୍କ ଯୋଗୁ ବଲିଉଡ୍ରେ ପ୍ରବେଶ କରିଥିବା କୁହନ୍ତି। ପ୍ରଥମେ ସେ ଆମିରଙ୍କ ସହ ଏକ ମୋବାଇଲ ବ୍ରାଣ୍ଡର ବିଜ୍ଞାପନ କରିବା ପରେ ତାଙ୍କୁ ଅନୁରାଗ ‘ଗ୍ୟାଙ୍ଗସ୍ ଅଫ୍ ଓ୍ବାସିପୁର’ ଫିଲ୍ମରେ ସୁଯୋଗ ଦେଇଥିଲେ। ତେବେ ସେ ପ୍ରଥମେ ତେଲଗୁ ଫିଲ୍ମ ଜରିଆରେ ବଡ ପରଦାରେ ନଜର ଆସିଥିଲେ ବୋଲି କମ ଲୋକଙ୍କୁ ଜଣା। ହୁମାଙ୍କ ଲଭ୍ ଲାଇଫ୍ କହିଲେ ତାଙ୍କ ନାଁକୁ ଅର୍ଜନ ବାଜଓ୍ବାଙ୍କ ସହ ଯୋଡା ଯାଇଥିଲା। ଏମିତିକି ଅନୁରାଗ କଶ୍ୟପଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ତାଙ୍କର ସମ୍ପର୍କ ନିର୍ଦ୍ଦେଶକ ମୁଦସର ଅଜିଜ ସହ ଥିବା ଆଲୋଚନା ହୁଏ।