ମୁମ୍ବାଇ: ଅଭିନେତ୍ରୀ ହୁମା କୁରେଶୀ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜଣେ ଅଟୋରିକ୍ସା ଡ୍ରାଇଭର ଭୂମିକାରେ ନଜରକୁ ଆସିବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଜିଓ ଷ୍ଟୁଡିଓ ଏବଂ ଇଚେଲୋନ୍ ପ୍ରଡକ୍ସନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ନାମକରଣ କରାଯାଇ ନାହିଁ। ତେବେ ନାରୀ ଶକ୍ତିର ପ୍ରତୀକ ସାଜିଥିବା ଜଣେ ମହିଳାଙ୍କ ସତ୍ୟ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମିତ ହେବାକୁ ଯାଉଛି। ହୁମା ଏହି ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚନ କରିଛନ୍ତି। ବିଶାଲ ରାଣା ଚଳଚ୍ଚିତ୍ରର ନିର୍ମାତା ରହିଛନ୍ତି। ସମାଜରେ ନାରୀଶକ୍ତି ଉତ୍ଥାନର ନେତୃତ୍ୱ ନେଇଥିବା ଏବଂ ନିଜ ଭାଗ୍ୟକୁ ନିୟନ୍ତ୍ରଣ କରିବା ଲାଗି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ମହିଳା ଅଟୋ ଡ୍ରାଇଭରଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ର ଆଗେଇଛି। ହୁମା ସୋସିଆଲ ମିଡିଆରେ ଶେୟାର କରିଥିବା ପ୍ରଥମ ପୋଷ୍ଟରରେ ସେ କ୍ୟାପ୍ଶନ ଲେଖିଛନ୍ତି, ‘ହୁମା କୁରେଶୀ-ବିଶାଲ ରାଣା-ଜିଓ ଷ୍ଟୁଡିଓ ଆପଣମାନଙ୍କ ପାଇଁ ସେମାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଆଣୁଛନ୍ତି’। ଚଳଚ୍ଚିତ୍ରରେ ଚରିତ୍ରକୁ ଜୀବନ୍ତ କରିବାରେ କୁରେଶୀଙ୍କ ସାମର୍ଥ୍ୟ ଉପରେ ବିଶାଲ ଆସ୍ଥା ପ୍ରକଟ କରିଛନ୍ତି। ବିପୁଲ ମେହେଟ୍ଟା ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।