ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ ତର୍ଜମା କରିବେ। ତା’ପରେ ସେଥିରେ ଆକ୍ଟିଂ କରିବେ କି ନାହିଁ ଚିନ୍ତା କରିବେ। ଏ ନେଇ ହୁମ୍ମା କହନ୍ତି, ‘ମୋ ମତରେ ଆକ୍ଟିଂ ଲାଇନ୍ରେ ତରବର ହେବା ଆଦୌ ଠିକ୍ ନୁହେଁ। କାରଣ ସାମାନ୍ୟ ଭୁଲ ନିଷ୍ପତ୍ତି କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଏ ନେଇ ମୁଁ ବେଶ୍ ସଚେତନ। ଏଣୁତେଣୁ ଗୁଡାଏ ଫିଲ୍ମରେ ଆକ୍ଟିଂ କରିବା ଅପେକ୍ଷା ବର୍ଷକୁ ଯଦି ଗୋଟିଏ କିମ୍ବା ଦୁଇଟି ସିନେମାରେ ଅଭିନୟ କଲି କ୍ଷତି କ’ଣ ? ମୁଁ ଏବେ ଶୁଣିବାକୁ ପାଉଛି ଯେ ମୁଁ କୁଆଡେ ପାରିଶ୍ରମିକ ବଢ଼ାଇ ଦେଇଛି। ହେଲେ ଏପରି ଆଲୋଚନା ଆଦୌ ଠିକ୍ ନୁହେଁ। ନିକଟରେ ମୋତେ କେତୋଟି ଅଫର ମିଳିଥିଲା। କିନ୍ତୁ ସେଗୁଡିକର କାହାଣୀ ମୋତେ ପ୍ରଭାବିତ କରିପାରି ନ ଥିଲା। ଫଳରେ ସେହି ଅଫରଗୁଡିକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି।’