ମାନେକା ଗାନ୍ଧୀ
ନିଜକୁ ବିପଦରେ ପକାଇ ଲକ୍ଷ ଲକ୍ଷ ଆନିମଲ ଫିଡର (ପ୍ରାଣୀଙ୍କୁ ଆହାର ଦେଉଥିବା ବ୍ୟକ୍ତି)ମାନେ ପ୍ରାଣୀମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। କିନ୍ତୁ ଗତ ଦୁଇ ମାସରେ ତିନି ଜଣ ବ୍ୟକ୍ତି ଏହି ଫିଡର୍ମାନଙ୍କୁ ସାଂଘାତିକ ଭାବରେ ଆକ୍ଷେପ ବା ସମାଲୋଚନା କରିଛନ୍ତି। ଏମାନଙ୍କ ମଧ୍ୟରୁ ଖବରକାଗଜରେ ୨ ଜଣ ଓ ମାଗାଜିନ୍ରେ ଜଣେ କାମ କରୁଛନ୍ତି। ଏମାନେ ସମସ୍ତେ ଦାବି କରିଛନ୍ତି ଯେ, ପ୍ରାଣୀମାନଙ୍କୁ ଖୁଆଇବା ଫଳରେ ସାରା ଭାରତରେ ଅସନ୍ତୋଷ ସୃଷ୍ଟି କରିଛି । ସେମାନଙ୍କୁ ମାରିଦେବାକୁ ଏହି ତିନି ଜଣ କହୁଥିଲେ , କିନ୍ତୁ ଏବେ ଏଭଳି କହିବା ବନ୍ଦ କରିଦେଇଛନ୍ତି। କାରଣ ସେମାନେ ଜାଣନ୍ତି ଯେ,ଫିଡର୍ମାନଙ୍କୁ ନିନ୍ଦା କରିବା ଏତେଟା କ୍ଷତିକାରକ ନ ହେଲେ ବି ସେମାନଙ୍କ ହିଂସାମତ୍କ ମନ୍ତବ୍ୟ ଦେଶର ଅଧିକାଂଶ ସ୍ଥାନରେ ଜଟିଳ ସମସ୍ୟା ସୃଷ୍ଟି କରିବ। ଏହି ତିନିଜଣଯାକ ଭଲ ପ୍ରଜାତିର ବିଦେଶୀ କୁକୁର ରଖିଛନ୍ତି। ସାମ୍ପ୍ରତିକ ସମୟରେ ଭାରତୀୟ ଓ କୁକୁରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଷ୍ଟିଭେନ ଏଲ୍ . ହର୍ମ୍ୟାନଙ୍କ ଦ୍ୱାରା ହାର୍ଭାର୍ଡରେ ପ୍ରକାଶିତ ପେପର୍କୁ ସେମାନେ ପଢ଼ିବା ଉଚିତ। ମୁଁ ଏଥିରୁ ବହୁତ କିଛି ଉଦ୍ଧୃତ କରିବାକୁ ଯାଉଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ,ଜୀବନ ଆରମ୍ଭରୁ ଭାରତରେ କୁକୁର ରହୁଥିଲେ ଓ ସେମାନଙ୍କ ପାଳନ ପୋଷଣ କରାଯାଇଆସିଛି। ଏବେ ଡିଏନ୍ଏ ପରୀକ୍ଷାରୁ ଜଣାପଡିଛି ଯେ, ଭାରତର ସବୁ କୁକୁର ତଥା ବିଶ୍ୱର ଅନ୍ୟ ସ୍ଥାନରେ ଦେଖାଯାଉଥିବା ସବୁ ପ୍ରଜାତିର କୁକୁରଙ୍କ ସହ କାନିସ୍ ଲୁପୁସ୍ ଚାନ୍କୋର ସମ୍ପର୍କ ରହିଛି। ଚାନ୍କୋ ହେଉଛି ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଦେଖାଯାଉଥିବା ବହୁ ପୁରାତନ ହିମାଳୟାନ୍ ହେଟା।
ଭାରତୀୟମାନଙ୍କର କୁକୁର ସହ ସମ୍ପର୍କ ପୁରାଣ ଯୁଗରୁ ରହିଆସିଛି। କୁକୁରମାନେ ଯମଙ୍କ ଦୂତ। ଧର୍ମରାଜ ଯୁଧିଷ୍ଠିର ତାଙ୍କ ସାଙ୍ଗରେ କୁକୁରକୁ ନ ନେଲେ ସ୍ବର୍ଗରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । ଦେବତାମାନେ ତାଙ୍କ ଦୟାଭାବକୁ ପରୀକ୍ଷା କରୁଥିତ୍ଲେ ଏବଂ ସେ ସଫଳତାର ସହ ଏଥିରେ ପାସ୍ କରିଥିଲେ। ‘ ଆଦ୍ୟ ବେଦଶାସ୍ତ୍ରରୁ ଜଣାପଡେ ଯେ, ଭାରବାହୀ କିମ୍ବା ପୂଜା ପାଉଥିବା ପ୍ରାଣୀମାନଙ୍କ ଅପେକ୍ଷା ପରିବାର ସହ କୁକୁରର ସମ୍ପର୍କ ବହୁତ ଭଲ ରହିଥିଲା। ଭୋପାଳ ନିକଟ ଭୀମ୍ବେଟକ୍ରେ ଥିବା ଶିଳାଚିତ୍ରରେ ଜଣେ ଲୋକ କୁଞ୍ଚିତ ଲାଞ୍ଜଥିତ୍ବା କୁକୁରକୁ ଚେନ୍ରେ ବାନ୍ଧି ନେଉଥିବା ଦେଖିବାକୁ ମିଳେ । ସମ୍ପ୍ରତି ଇଣ୍ଡିଆନ୍ ପରିୟା ଡଗ୍ ( ଭାରତର ଦେଶୀ କୁକୁର) ଉପରେ କରାଯାଇଥିବା ଏକ ଅନୁଧ୍ୟାନରେ କେତେକ ସିନୋଲୋଜିଷ୍ଟ(କୁକୁର ଓ ଗୃହପାଳିତ ପଶୁଙ୍କ ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ)ଙ୍କ ମତରେ ହେଟାଭଳି ଦେଖାଯାଉଥିବା କୁକୁର ବହୁ ସଂଖ୍ୟାରେ ଏକାଠି ଖାଦ୍ୟ ଅନ୍ବେଷଣ କରିଥାନ୍ତି। ମାତ୍ର ଗତ ୧୧ ମାସ ମଧ୍ୟରେ ଭାରତର ସ୍ଥାନୀୟ ଅଞ୍ଚଳର ବୁଲାକୁକୁରଙ୍କ ଉପରେ ନିରୀକ୍ଷଣ କରାଯିବା ପରେ ଏମାନେ ଏ କ୍ଷେତ୍ରରେ ବହୁସଂଖ୍ୟାରେ ଏକାଠି ହେବା ଲକ୍ଷ୍ୟ କରାଯାଇନାହିଁ। ଏଣୁ ଏମାନେ ଜଙ୍ଗଲୀ ନୁହନ୍ତି। ବରଂ ଆଞ୍ଚଳିକ ଭିତ୍ତିରେ ଏମାନେ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏମାନେ ସେମାନଙ୍କ ଅଞ୍ଚଳରେ ଥିବା ଅନ୍ୟ ଯେ କୌଣସି କୁକୁରଠାରୁ ଅଧିକ ସହନଶୀଳ। ଏମାନେ ବିଶାଳ ଭାରତୀୟ ସମାଜର ଏକ ବଡ ଅଙ୍ଗ।
ଭାରତର ସହରରେ ରହୁଥିବା ଅଧିକାଂଶ ଲୋକ ବୁଲାକୁକୁରଙ୍କୁ କ୍ଷତିକାରକ ମଣନ୍ତିନି। ଏମିତି କି ସବୁଠୁ ଗରିବ ପରିବାରରେ ପିଲା ଓ କୁକୁରମାନଙ୍କ ମଧ୍ୟରେ ନିବିଡ଼ତା ରହିଛି। ଉଭୟେ ରାସ୍ତାରେ ହିଁ ଦିନ କାଟନ୍ତି। ଏଥିରୁ ବୁଝାପଡେ ଯେ, ବୁଲା କୁକୁରଙ୍କ ସହନଶୀଳତା ଭାରତରେ ଦେଖାଯାଉଥିବା ଅନ୍ୟାନ୍ୟ ପ୍ରଜାତିର କୁକୁରଙ୍କଠାରୁ ଢେର ବେଶି। ଭାରତରେ ବହୁ ସ୍ଥାନରେ ଏମାନଙ୍କୁ ଅବହେଳା କରାଯାଏ, ଚିକିତ୍ସା ବି କରାଯାଏନି। ଏଭଳି ପରିସ୍ଥିତିରେ ଏଠାରେ ସ୍ବେଚ୍ଛାସେବୀମାନେ ପ୍ରାଣୀ କଲ୍ୟାଣ ଲାଗି ସମ୍ପୂର୍ଣ୍ଣ ସମର୍ପିତ। ବୁଲାକୁକୁରଙ୍କ ଅଦ୍ଭୁତ ସହନଶୀଳତାର ସମ୍ପର୍କ ହିନ୍ଦୁତ୍ୱ ସହ ଥାଇପାରେ ବୋଲି କହିଛନ୍ତି ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଡିନ୍ ଡକ୍ଟର ଏ.ଜେ.ଟି.ଜନସିଂ।
କୁକୁର ପ୍ରତି ଭାରତରେ ଲୋକମାନଙ୍କ ଦୃଷ୍ଟିଭଙ୍ଗୀ ଉପରେ ଡ. ଅମିତା ସିଂ ତାଙ୍କ ଭାବନା ବ୍ୟକ୍ତ କରିଛନ୍ତି। ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦି ସେଣ୍ଟର ଫର୍ ଷ୍ଟଡି ଅଫ୍ ଲ ଆଣ୍ଡ୍ ଗଭର୍ନାନ୍ସର ଚେୟାରପର୍ଶନ ଅଛନ୍ତି। ପ୍ରଫେସର ସିଂ କହନ୍ତି,କୁକୁର ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ଭିତ୍ତି କରି ଭାରତରେ ତିନି ପ୍ରକାର ଲୋକ ରହିଛନ୍ତି। ପ୍ରଥମ ବର୍ଗର ଲୋକେ କୁକୁରକୁ ସାଙ୍ଗରେ ରଖିବା ଉପରେ ଗୁରୁତ୍ୱ ଦିଅନ୍ତି। ଏପରିକି ସେମାନଙ୍କ ପାଖରେ କମ୍ ଖାଦ୍ୟ ଥିଲେ ବି ସେମାନେ କୁକୁରକୁ ଦିଅନ୍ତି ବୋଲି କହନ୍ତି ସିଂ। ଦ୍ୱିତୀୟ ବର୍ଗର ଲୋକେ ହେଉଛନ୍ତି ସେମାନେ ଯେଉଁମାନଙ୍କର ଧାର୍ମିକ ବିଶ୍ୱାସ ଯୋଗୁ କୁକୁର ପ୍ରତି ଆକର୍ଷଣ ରହିଥାଏ। ସାମ୍ପ୍ରତିକ ସମୟରେ ସାଇ ବାବାଙ୍କ ଲକ୍ଷ ଲକ୍ଷ ଅନୁଗାମୀଙ୍କ ଦ୍ୱାରା ଚାଲୁଥିବା ଆଧ୍ୟାମତ୍ିକ ଅଭିଯାନ ଯୋଗୁ ଏଭଳି ଲୋକଙ୍କ ସଂଖ୍ୟା ଅଧିକ ବଢିବାରେ ଲାଗଛି। ଏହି ପ୍ରଭାବଶାଳୀ ଆଧ୍ୟାମତ୍ିକ ଗୁରୁ କୁକୁରଙ୍କ ସୁରକ୍ଷା ଲାଗି ପ୍ରଚାର କରିଥିଲେ ଏବଂ ଯଦି ଲୋକେ କୁକରଙ୍କୁ ଖାଇବାକୁ ଦେବେ ତେବେ ସେମାନଙ୍କ ପାପ କୁକୁରଙ୍କ ପାଖକୁ ଚାଲିଯିବ ବୋଲି କହୁଥିଲେ। ପଶ୍ଚିମ ଭାରତରେ ଉପାସିତ ଦତ୍ତାତ୍ରେୟ କୁକୁରଙ୍କ ସହ ଫଟୋରେ ଦୃଶ୍ୟମାନ ହେବା ଭଳି ସାଇବାବା ବି ଫଟୋରେ କୁକୁରମାନଙ୍କ ସହ ଦୃଶ୍ୟମାନ ହୋଇଥାନ୍ତି। ଡ. ସିଂ ବି ଏକ କାହାଣୀ ବର୍ଣ୍ଣନା କରିଛନ୍ତି। ଜଣେ ଭକ୍ତ ସାଇ ବାବାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଗୁରୁ (ବାବା)ଙ୍କ ପାଇଁ ରଖାଯାଇଥିବା ଖାଦ୍ୟ ଖାଇବାକୁ ଉଦ୍ୟମ କରୁଥିବା ଏକ କୁକୁରକୁ ସେ ବାଡିରେ ବାଡେଇ ଦେଲେ। ଗୁରୁ ଆଉ ଖାଇବାକୁ ଆସିଲେ ନାହିଁ ।
ପରେ ସେହି ଲୋକଟି ବାବାଙ୍କୁ ଖାଇବାକୁ ନ ଆସିବାର କାରଣ ପଚାରିଲେ। ‘ଖାଇବାକୁ ଆସିଥିଲି , କିନ୍ତୁ ତୁମେ ମୋତେ ଗୋଟିଏ ବାଡିରେ ବାଡେଇଲ’ ବୋଲି ବାବା ଉତ୍ତର ଦେଇଥିଲେ। ତୃତୀୟ ବର୍ଗର କୁକୁର ପ୍ରେମୀ ଉପନିବେଶବାଦୀ ଇଂରେଜଙ୍କୁ ଅନୁକରଣ କରୁଛନ୍ତି। ଇଂରେଜଙ୍କୁ ଅନୁକରଣ କରୁଥିବା ଆଧୁନିକ ସମୟର ଏହି ଲୋକମାନେ ଭଲ ପ୍ରଜାତିର କୁକୁରଙ୍କୁ ପସନ୍ଦ କରନ୍ତି। ସେମାନେ ସ୍ବାର୍ଥପର, କାରଣ ସେମାନଙ୍କୁ ପୋଷା କୁକୁର ରଖିବାକୁ ଭଲ ଲାଗେ। ସେମାନେ ରାସ୍ତାରେ ବୁଲୁଥିବା କୁକୁରଙ୍କ ପ୍ରତି କ୍ରୂରତା ଭାବ ପ୍ରଦର୍ଶନ କରନ୍ତି ଏବଂ ଏପରିକି ସେମାନଙ୍କୁ ମାରିଦେବା ସପକ୍ଷରେ ମତ ଦେଇଥାନ୍ତି।
ଭାରତୀୟ ସମାଜରେ କୁକୁରକୁ ନେଇ ଅଦ୍ଭୁତ ଦୃଷ୍ଟିକୋଣ ରହିଥିବା ଲକ୍ଷ୍ୟ କରାଯାଏ। ଏଠାରେ ମଣିଷ ଓ କୁକୁରଙ୍କ ମଧ୍ୟରେ ବାହାଘର ହୋଇଥାଏ। ସାଧାରଣତଃ ଦମ୍ପତିଙ୍କ ଉପରୁ ସାମ୍ଭାବ୍ୟ ବିପଦ ଦୂର କରିବା ଲାଗି ଏଭଳି ବାହାଘର ଅନୁଷ୍ଠିତ ହୋଇଥାଏ। ନିକଟରେ ଜ୍ୟୋତିଷଙ୍କ ପରାମର୍ଶକ୍ରମେ ତାମିଲନାଡୁର ଜଣେ କୃଷି ଶ୍ରମିକ ୪ ବର୍ଷର ବୁଲାକୁତି ସେବିକୁ ବିବାହ କରିଥିଲେ। ଦୁଇଟି ବୁଲା କୁକୁରକୁ ପଥର ଫିଙ୍ଗି ମାରିଦେବା ପରେ ସେମାନଙ୍କୁ ଗଛରେ ଝୁଲାଇ ଦେବା ଜନିତ ପାପ ଦୂର କରିବା ଲାଗି ଏଭଳି କରିବାକୁ ତାଙ୍କୁ ଜ୍ୟୋତିଷ ପରାମର୍ଶ ଦେଇଥିଲେ। ଏହି ଭୟଙ୍କର କାର୍ଯ୍ୟ କରିବା ପରେ ସେ ପକ୍ଷାଘାତ ସମେତ ବହୁ ସମସ୍ୟାରେ ପଡି ଯନ୍ତ୍ରଣା ପାଉଥିଲେ ଏବଂ ତାଙ୍କ ଶ୍ରବଣ ଶକ୍ତି ବି ହରାଇଥିଲେ। ଦୁଷ୍ଟାମତ୍ା ଦୃଷ୍ଟି ଦୂର କରିବା ଓ ବିପଦ ଟାଳିବା ଲାଗି ଭାରତରେ ବହୁ ଆଦିବାସୀ ଯୁବତୀ କୁକୁରକୁ ବାହା ହେବା ଘଟଣା ଦେଖିବାକୁ ମିଳେ। ମୁଣ୍ଡା ଜନଜାତିର ଝିଅମାନଙ୍କର ଦାନ୍ତ ପଡି ସ୍ଥାୟୀ ଦାନ୍ତ ଉଠିବା ସମୟରେ ସେମାନଙ୍କୁ କୁକୁର ସହ ବାହାଘର କରାଯାଇଥାଏ। ପ୍ରାଣୀଙ୍କ ଆକ୍ରମଣକୁ ପ୍ରତିହତ କରିବା ଲାଗି ଝିଅମାନଙ୍କୁ ଶକ୍ତିିଶାଳୀ କରିବା ଲାଗି ଏଭଳି କରାଯାଇଥାଏ। ଓଡିଶାରେ ଜଣେ ୫ ବର୍ଷର ଆଦିବାସୀ ଝିଅକୁ ବାଘ ନ ଖାଇବା ଲାଗି ୨୦୦୫ରେ ତାକୁ କୁକୁର ସହ ବାହାଘର କରାଯାଇଥିଲା। ୨୦୦୩ରେ କୋଲକାତାରେ ଜଣେ ସାନ୍ତାଳୀ ଝିଅକୁ ବୁଲାକୁକୁର ବଚନ ସହ ବାହାଘର କରାଯାଇଥିଲା। ଏହି ଉତ୍ସବରେ ୧୦୦ ଜଣ ଅତିଥି ଯୋଗ ଦେଇଥିଲେ ଓ ଘରେ ପ୍ରସ୍ତୁତ କରାଯାଇଥିବା ମଦ ପିଇ ନାଚରେ ମାତିଥିଲେ।
ପୌରାଣିକରୁ ଅଲୌକିକ ଯାଏ ହଜାର ହଜାର ବର୍ଷ ଧରି ଭାରତରେ ମଣିଷ ଓ କୁକୁର ମଧ୍ୟରେ ସମ୍ପର୍କ ରହିଆସିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ କି ହେବାର ବି ନାହିଁ। ଏଭଳି ସମ୍ପର୍କ ଉପରେ ପାଶ୍ଚାତ୍ୟ ଲେଖକମାନେ ନାରାଜ ହୋଇ ଇରିସ ସେଟ୍ଟର ଏବଂ ପୋମେରାନିଆନ କୁକୁରକୁ ଆଗକୁ ଆଣି ଭାରତର କୁକୁରମାନଙ୍କୁ ହଟେଇ ଦେବାକୁ ବ୍ୟଗ୍ର ହେଲେ ବି ସେମିତି କିଛି ଘଟିବାର ନାହିଁ। କିନ୍ତୁ ଏହି ଲକ୍ଡାଉନରେ ଭାରତୀୟ କୁକୁରଙ୍କ ସୁରକ୍ଷା ଅଭିଯାନ ଥମି ଯାଇନାହଁି, ବରଂ ବଢିଛି, ତାହା ପୁଣି ଜୋର୍ସୋରରେ। ହଁ, ଏଥିରେ ସଂଘର୍ଷର ସୂତ୍ରପାତ ହୋଇଛି, କୁକୁରଙ୍କୁ ବିଷ ଦିଆଯାଇଛି, କେତେକ ମଦ୍ୟପ ପ୍ରାଣୀମାନଙ୍କୁ ବି ବାଡେଇଛନ୍ତି। କିନ୍ତୁ ମୋଟ ଉପରେ କହିବାକୁ ଗଲେ ଏହି ଯୁଦ୍ଧରେ ଦୟାଳୁଙ୍କର ବିଜୟ ଘଟିଛି।
Email: gandhim@nic.in