ଯନ୍ତାରେ ପଡ଼ିଲା ମଣିଷ ଖିଆ ବାଘ

ଉମରକୋଟ/ରାଇଘର, ୨୨।୧୦(ସ୍ବ.ପ୍ର./ଡି.ଏନ୍‌.ଏ): ଛତିଶଗଡ଼ ସିହାଓ୍ବା ଜଙ୍ଗଲରେ ରହି ଲୋକଙ୍କୁ ମାରୁଥିବା କଲରାପତରିଆ ବାଘକୁ ସେଠାକାର ବନବିଭାଗ କାବୁ କରିଛି। ବାଘଟିକୁ ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଜନବସତି ସହ ସମ୍ପର୍କ ନ ଥିବା ଘଞ୍ଚ ଜଙ୍ଗଲରେ ବାଘଟିକୁ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ଗତ ୧୧ ତାରିଖ ସାରେ ନବରଙ୍ଗପୁର ଜିଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅବିନାଶ ମର୍କାମ (୬)ଙ୍କୁ ବାଘ ଝାମ୍ପି ନେଇ ଜଙ୍ଗଲକୁ ପଳାଇଥିଲା। ଜଙ୍ଗଲରୁ ଅବିନାଶଙ୍କ ମୃତଦେହ ମିଳିଛି। ପୂର୍ବରୁ ମଧ୍ୟ ବାଘ ଏପରି ଅନେକ ଲୋକଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଅବିନାଶଙ୍କ ମୃତ୍ୟୁ ପରେ ବାଘକୁ ଧରିବାକୁ ଲୋକେ ଦାବି କରିଥିଲେ। ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୪ଟି ଯନ୍ତା ବସା ଯାଇଥିଲା। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ବାଘଟି କାଳୀ ଗୁମ୍ଫା ନିକଟକୁ ଆସିଥିଲା। ସେଠାରେ ଥିବା ଯନ୍ତାରେ ରଖା ଯାଇଥିବା ଛେଳିକୁ ଖାଇବାକୁ ଉଦ୍ୟମ କରିବା ବେଳେ ବନ କର୍ମଚାରୀ ପିଞ୍ଜରାକୁ ବନ୍ଦ କରି ବାଘକୁ କାବୁ କରିବାରେ ସଫଳ ହୋଇଛନ୍ତି।

Share