ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ ଏମିତି ଉପାୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହା ପଶୁଙ୍କ ଗର୍ଭାଶୟରେ ମାନବ କୋଷର ବିକାଶ ହୋଇପାରିବ। ଏବେ ମଣିଷଙ୍କ ପରି ପଶୁମାନେ ମଧ୍ୟ ସରୋଗେଟ୍‌ ମା ହୋଇପାରିବେ। ପଶୁଙ୍କ ଗର୍ଭରୁ ଜନ୍ମନେବେ ମଣିଷ।

ଜାପାନର ହିରୋମିଷ୍ଟୁ ନାକୋଚି ନାମକ ଏହି ବୈଜ୍ଞାନିକ ପଶୁଙ୍କ ଉପରେ ଗବେଷଣା କରୁଥିଲେ। ତେବେ ଜାପାନ ସରକାର ଏହାକୁ ଅନୁମତି ମଧ୍ୟ ଦେଇଛନ୍ତି। ହିରୋମିଷ୍ଟୁ ଏବଂ ତାଙ୍କ ଦଳ ପ୍ରଥମେ ମୂଷା ଭ୍ରୁଣରେ ମାନବ କୋଷର ବିକାଶ କରିବେ। ସେହି ଭ୍ରୁଣଗୁଡ଼ିକୁ ସରୋଗେଟ ପ୍ରାଣୀମାନଙ୍କ ଗର୍ଭରେ ସ୍ଥାନାନ୍ତର କରିବେ। ଏହି ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ମାନବ ଶିଶୁ ସୃଷ୍ଟି କରିବା ନୁହେଁ ବରଂ ପଶୁମାନଙ୍କୁ ପ୍ରସ୍ତୁତ କରିବା ଯାହାର ଶରୀରର ଅଙ୍ଗ ମାନବ କୋଷରେ ତିଆରି। ଯଦି ଆବଶ୍ୟକ ହୁଏ ତେବେ ଏହି ପ୍ରାଣୀମାନଙ୍କର ଅଙ୍ଗ ମାନବଠାରେ ପ୍ରତ୍ୟାରୋପଣ କରାଯାଇପାରିବ।

୨୦୧୫ରୁ ପ୍ରଥମେ ଆମେରିକା ଏହା ଉପରେ ଗବେଷଣା କରୁଥିଲା। ପରେ ଏହାକୁ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଭୁଲ କହି ଏହା ଉପରେ ରୋକ ଲଗାଇଥିଲା। ମାତ୍ର ଜାପାନୀ ବୈଜ୍ଞାନିକ ଏହା କରିବା ପାଇଁ ସବୁଜ ସଙ୍କେତ ପାଇଛନ୍ତି।

ଜାପାନର ଏହି ପ୍ରୋଜେକ୍ଟ ଯଦି ସଫଳ ହୁଏ, ତେବେ ଏହା ସମ୍ଭବ ଯେ ଆଗାମୀ ସମୟରେ ଏପରି ଜୀବ ସୃଷ୍ଟି ହେବ ଯାହା ଅଧା ମାନବ ଏବଂ ଅଧା ପ୍ରାଣୀ। ଏହିପରି ଅନେକ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱର ଅନେକ ଦେଶ ଏଭଳି ପ୍ରକଳ୍ପ ବନ୍ଦ କରିଦେଇଥିଲେ। ଯାହା ବର୍ତ୍ତମାନ କରିବାକୁ ଆଗେଇ ଆସିଛି ଜାପାନ।

Share