‘ମାନବ ସମ୍ବଳ ହିଁ ଦେଶର ପ୍ରକୃତ ସମ୍ପଦ’

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଭାରତବର୍ଷର ବୃହତ୍‌ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବ ା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ା
ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟ ଜାତୀୟ ସେବା ଯୋଜନା ସେଲ୍‌ ପକ୍ଷରୁ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସାହୁ କହିଛନ୍ତି, ମାନବ ସମ୍ବଳ ହିଁ ଦେଶର ପ୍ରକୃତ ସମ୍ପଦ ଓ ଏହାର ବିକାଶରେ ଦେଶର ବିକାଶ ହୋଇଥାଏ ା ସ୍ବାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ସ୍ବେଚ୍ଛାକୃତ ସେବାର ଯେଉଁ ଉଦାହରଣ ସୃଷ୍ଟି କରିଥିଲେ ତା’ର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ମନ ଭିତରେ ଗୋଷ୍ଠୀଗତ ଭାବନା ଉଦ୍ରେକ ହୋଇପାରିଲେ ସମାଜରେ ଦେଖାଦେଉଥିବା ଅନେକ ଅସଙ୍ଗତି ଦୂରହୋଇପାରିବ। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ ଅବସରରେ ଏପରି ଉତ୍ସବ ଆୟୋଜନ ଅଧିକ ମହତ୍ତ୍ବ ରଖେ ବୋଲି ସେ କହିଛନ୍ତି। ଯୁବକ ଅବସ୍ଥାରେ ମନ ମଧ୍ୟରେ ସମାଜସେବା ଭାବନା ସୃଷ୍ଟି କରାଯାଇପାରିଲେ ଭବିଷ୍ୟତରେ ସେମାନେ ଯେକୌଣସି ବୃତ୍ତିରେ ଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ସର୍ବଦା ସମାଜ କଲ୍ୟାଣ ଲାଗି ପ୍ରେରିତ ହେବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି ା ସମ୍ପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀମାନେ କୋଭିଡ୍‌ ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ସଚେତନକରି ଅଧିକ ସତର୍କତା ଅବଲମ୍ବନ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଉତ୍ସବରେ ୨୦୧୮-୨୯ ବର୍ଷ ନିମନ୍ତେ ୧୨ ଜଣ ସ୍ବେଚ୍ଛାସେବୀ ଓ ୮ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୨୦୧୯-୨୦ ବର୍ଷ ନିମନ୍ତେ ୧୨ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ଏବଂ ୧୦ ଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି।

Share