ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ବାରିପଦାରେ ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କୁ ଅବହେଳା ନେଇ ଅଭିଯୋଗ ଆସିଥିଲା। ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ତଦନ୍ତ ପାଇଁ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ଅଗଷ୍ଟ ୨୩ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କମିଶନ କହିଛନ୍ତି।କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଓଏଚ୍‌ଆର୍‌ସିଙ୍କ ନିକଟରେ ଏହି ପିଟିଶନ କରିଥିଲେ। ପିଟିଶନ ଅନୁଯାୟୀ, ବାରିପଦା ବାଙ୍କିଶୋଳଠାରେ ଥିବା କୋଭିଡ୍‌ ହସ୍ପିଟାଲ୍‌ରେ ଗତ ମେ ମାସରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଅବହେଳା କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲ। କେତେଜଣ ରୋଗୀ ଉଲଗ୍ନ ହୋଇ ଚଟାଣରେ ପଡ଼ିଥିବାବେଳେ ଆଉ କେତେଜଣ ହସ୍ପିଟାଲ୍‌ର ହାତଧୁଆ ବେସିନ ନିକଟ ଓ ଏଣେତେଣେ ପଡିରହିଥିଲେ। ସେଠାରେ ଡାକ୍ତର ଓ ନର୍ସ ଠିକ୍‌ ଭାବେ ନିଜ କାର୍ଯ୍ୟ କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ନିଶିକାନ୍ତ ତାଙ୍କ ପିଟିଶନରେ ଉଲ୍ଲେଖ କରିଥିଲେ। ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆଦେଶ ଦେବାକୁ ସେ ଦାବି କରିଥିଲେ।

Share