ମାନବ ଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ୫ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୪: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ଦୁଇ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ନିମୁଚର ମନୋଜ ପ୍ରଜାପତି(୨୮), ମଧ୍ୟପ୍ରଦେଶ ମନ୍ଦସୌର ବନପୁରାର ସୁପ୍ରିୟା ପ୍ରଜାପତି(୨୫), ଝାରସୁଗୁଡା ଭୁଲିଆଟିକ୍ରାର କିରଣ ସେଠୀ, ହୃଷୀକେଶ ସେଠୀ(୨୯) ଓ ବ୍ରଜରାଜନଗର ଇଏସ୍‌ଆଇ ଛକ ନୂଆପଡାର ଦାନିଶ୍‌ ବେହେରା(୧୮)। କିରଣ, ଦାନିଶ୍‌ ଓ ହୃଷୀକେଶଙ୍କ ବ୍ୟାଙ୍କ୍‌ ପାସ୍‌ବୁକ୍‌କୁ ପୋଲିସ୍‌ ଜବତ କରିଛି। ଏଥିରେ ଲକ୍ଷାଧିକ ଟଙ୍କା ରହିଥିବା ପୋଲିସ ଜାଣିବାକୁ ପାଇଛି। ଏହି ୩ ଅଭିଯୁକ୍ତଙ୍କୁ ଗତ ୯ତାରିଖରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏମାନଙ୍କୁ ପୋଲିସ ଜେଲ୍‌ରୁ ରିମାଣ୍ଡରେ ଆଣି ତଦନ୍ତ ଚଳାଇଛି। ରାଜସ୍ଥାନରେ ବିକ୍ରି କରାଯାଇଥିବା ଝାରସୁଗୁଡ଼ାର ଜଣେ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ସ୍ବାମୀ କ୍ରିଷ୍ଣା କୁମାରଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଗତ ୭ତାରିଖରେ ଝାରସୁଗୁଡ଼ା ଟାଉନ ଥାନାରେ କେସ୍‌ ନଂ.୧୯୪/୨୨ରେ ମାମଲା ରୁଜୁ କରିଛି।
ଏଥିରେ ଏକ ଆନ୍ତଃରାଜ୍ୟ ମାନବ ଚାଲାଣ ର଼୍ୟାକେଟ୍‌ ସମ୍ପୃକ୍ତ ଥିବା ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା। ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଝାରସୁଗୁଡା ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ରାଜସ୍ଥାନ ଯାଇ କୋଟାରୁ ମହିଳାଙ୍କୁ ଉଦ୍ଧାର କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ ଶୁକ୍ରବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ମହିଳା ଓ ତାଙ୍କ ସ୍ବାମୀ ଝାରସୁଗୁଡା ପୁରୁଣାବସ୍ତିରେ ଭଡାଘର ନେଇ ରହୁଥିଲେ। ସେମାନଙ୍କର ଏକ କନ୍ୟାସନ୍ତାନ ଜନ୍ମ ହେଲାପରେ ମୃତ୍ୟୁବରଣ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ମହିଳା ଜଣକ ଅଭିଯୁକ୍ତ କିରଣଙ୍କ ଘର ଭୁଲିଆଟିକ୍ରାରେ ରହୁଥିଲେ। ସ୍ତ୍ରୀଙ୍କୁ ଖୋଜିବାକୁ ଯାଇ ସ୍ବାମୀ କିରଣଙ୍କ ଘରେ ପହଞ୍ଚତ୍ଥିଲେ। କିନ୍ତୁ କିରଣ ତୁମ ସ୍ତ୍ରୀ ପୂର୍ବରୁ ରହୁଥିଲେ ଏବେ ରହୁନାହାନ୍ତି ବୋଲି କହିଥିଲେ। ଏପରିସ୍ଥଳେ ତାଙ୍କୁ ରାଜସ୍ଥାନର କୋଟାରେ କିରଣ ଓ ସାଙ୍ଗମାନେ ବିକ୍ରି କରିଦେଇଥିବା ନେଇ ମହିଳା ଜଣଙ୍କ ତାଙ୍କ ସାଙ୍ଗଙ୍କୁ ଫୋନ୍‌କରି କହିଥିଲେ। ମହିଳାଙ୍କ ସ୍ବାମୀ ସବୁକିଛି ଜାଣି ପୋଲିସରେ ଜଣାଇଥିଲେ।

Share