ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ ସାଗର

କଟକ ଅଫିସ,୧୯ା୧: ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଶ୍ରେୟା ମିଶ୍ର। ଏହି ଅଭିଯୋଗ ଉପରେ ଆପୋସ ବୁଝାମଣା ଲାଗି କଟକ ମହିଳା ଥାନାରେ ହ୍ୟୁମାନ ସାଗର ଓ ଶ୍ରେୟାଙ୍କୁ ହାଜର ହେବାକୁ ଥାନା ପକ୍ଷରୁ କୁହାଯାଇଛି।

ଶ୍ରେୟାଙ୍କୁ ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ମଙ୍ଗଳବାର ଡିସିପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେବା ସହ ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ କହିଥିଲେ। ଏନେଇ ଶ୍ରେୟା ବୁଧବାର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଡିସିପି ମିଶ୍ର କହିଛନ୍ତି, ଏହାର ତଦନ୍ତ କରାଯିବା ସହ ଆପୋସ ବୁଝାମଣା ପାଇଁ ଉଭୟଙ୍କୁ ଡକାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ।

ସୂଚନାଯୋଗ୍ୟ, ବଲାଙ୍ଗୀରର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁଛନ୍ତି। ପାରିବାରିକ ଅଶାନ୍ତି କାରଣରୁ ଶ୍ରେୟା କିଛିମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲି ଯାଇଥିଲେ।

Share