ଖାର୍ତୁମ୍ ୨୪।୪: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ସଂଘର୍ଷ ଯୋଗୁ ମାନବୀୟ ସଙ୍କଟ ଦେଖାଦେଇଛି। ସୁଦାନରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବାରୁ ବହୁସଂଖ୍ୟକ ଲୋକ ପଳାୟନ କରିବାରେ ଲାଗିଛନ୍ତି। ଆମେରିକା ଓ ବ୍ରିଟେନ୍ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ସେଠାରୁ ନିଜ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ ଏହି ସାମରିକ ସଂଘର୍ଷକୁ ନିନ୍ଦା କରିବା ସହ ତୁରନ୍ତ ଅସ୍ତ୍ର ବିରତି ପାଇଁ ଆହ୍ବାନ ଦେଇଛନ୍ତି। ବାଇଡେନ୍ ଆମେରିକା ସମେତ ଅନ୍ୟ ଦେଶର କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ପ୍ରସ୍ଥାନ ପାଇଁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି। ଫ୍ରାନ୍ସ ଓ ତୁର୍କୀ ମଧ୍ୟ ରବିବାର ସଂଘର୍ଷ ପ୍ରଭାବିତ ସୁଦାନରୁ ନିଜ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ନେବା ପାଇଁ ଅଭିଯାନ ଚଳାଇଛନ୍ତି। ଭାରତୀୟମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ସାଉଦିଆରବ ସହାୟତାର ହାତ ବଢ଼ାଇଛି। ସୁଦାନ ଆର୍ମଡ୍ ଫୋର୍ସେସ୍ (ଏସ୍ଏଏଫ୍) ଏବଂ ଅର୍ଦ୍ଧସାମରିକ ବଳ ରାପିଡ୍ ସପୋର୍ଟ ଫୋର୍ସେସ୍ (ଆର୍ଏସ୍ଏଫ୍) ମଧ୍ୟରେ ୭୨ ଘଣ୍ଟିଆ ଅସ୍ତ୍ର ବିରତି ପାଇଁ ସହମତି ପ୍ରକାଶ ପାଇଥିଲେ ମଧ୍ୟ ରାଜଧାନୀ ଖାର୍ତୁମ୍ ସମେତ ବିଭିନ୍ନ ସହରରେ ଗୁଳି ଗୋଳାର ଶବ୍ଦ ଶୁଣିବାକୁ ମିଳୁଛି। ଏହି ସଂଘର୍ଷରେ ଅଦ୍ୟାବଧି ୪୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସଂଘର୍ଷ ଜାରି ରହିଥିବାରୁ ଇଣ୍ଟରନେଟ୍ ସେବା ଉପଲବ୍ଧ ହେଉନାହିଁ।