କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ କେଉଁଠି ଲୋକ ସଚେତନ ନ ଥିବା ବେଳେ ଆଉ କେଉଁଠି ଲୋକମାନେ ନିଜର ମାନବିକତା ହରାଇ ବସୁଥିବା ଘଟଣା ଦେଖିବାକୁ ମିଳୁଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ହାଓ୍ବଡାରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ କରୋନାଜନିତ ମୃତ୍ୟୁ ହେବାରୁ ଦୀର୍ଘ ୭ଘଣ୍ଟା ଧରି ତାଙ୍କ ମୃତଦେହ ଘର ବାହାରେ ପଡ଼ିରହିଥିଲା। ଟାହା ପ୍ରଶାସନ ଓ ସମସ୍ତଙ୍କ ପାଇଁ ଏକ ଲଜ୍ଜାଜନକ ଘଟଣା। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ରହୁଥିବା ୫୪ ବର୍ଷୀୟ ପାର୍ବତୀ ନାମକ ଜଣେ ମହିଳାଙ୍କୁ ଗତ ଗୁରୁବାର ଜ୍ୱର, କାଶ ହେବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସତ୍ୟବାଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହ କରୋନା ଯାଞ୍ଚ କରିଥିଲେ। ରିପୋର୍ଟ ଆସି ନ ଥିବାରୁ ତାଙ୍କୁ ଘରକୁ ପଠାଇଦେଇଥଲେ। କିନ୍ତୁ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଥିଲା। ରବିବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୋମବାର ସକାଳେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ସେହିଦିନ ହିଁ ତାଙ୍କର ଯାଞ୍ଚ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଥିଲା। ଏନେଇ ଜାଣିବା ପରେ ସୋସାଇଟିର ଲୋକ ତାଙ୍କ ମୃତଦେହକୁ ବିଲ୍‌ଡିଂରେ ପ୍ରବେଶ କରାଦେଇ ନ ଥିଲେ। ଫଳରେ ଅନ୍ତିମ ସଂସ୍କାର ପାଇଁ ହାଓ୍ବାଡା ମ୍ୟୁନସିପାଲ କର୍ପୋରେସନ ଅପକ୍ଷୋରେ ଦୀର୍ଘ ୭ଘଣ୍ଟା ଧରି ପରିବାର ଲୋକ ସୋସାଇଟି ବାହାରେ ଛିଡା ହୋଇଥିଲେ। ପରେ ମ୍ୟୁନସିପାଲ କର୍ପୋରେସନ ପହଞ୍ଚିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏନେଇ ହାଓ୍ବଡା ମ୍ୟୁନସିପାଲ କର୍ପୋରେସନ ନିଜ ସଫେଇରେ କହିଛନ୍ତି, କର୍ମଚାରୀ ଅଭାବ ଯୋଗୁ ଏଭଳି ବିଳାମ୍ବ ହୋଇଥିଲା।

Share