ନୂଆଦିଲ୍ଲୀ,୨।୫: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ତେବେ ଦଳ ଏହାର ମୂଲ୍ୟବୋଧ ଏବଂ ଆଦର୍ଶ ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି। କେରଳ, ଆସାମ ଏବଂ ପୁଡ଼ୁଚେରୀରେ କଂଗ୍ରେସର ବିଫଳତା ଏବଂ ପଶ୍ଚିମବଙ୍ଗରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଏଭଳି ଟୁଇଟ୍ କରିଛନ୍ତି। ତାମିଲନାଡୁରେ ବିଜୟ ପାଇଁ ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ରାହୁଲ ଅଭିନନ୍ଦନ ଜଣାଇଛନ୍ତି। ତାମିଲନାଡୁ ଜନସାଧାରଣ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି। ଷ୍ଟାଲିନ୍ଙ୍କ ନେତୃତ୍ୱରେ ନୂଆ ସରକାର ରାଜ୍ୟରେ ପରିବର୍ତ୍ତନ ଆଣିବା ନେଇ ସେ ନିଶ୍ଚିତ ବୋଲି ରାହୁଲ କହିଛନ୍ତି।