ହୁମ୍ମା ଓଭରବ୍ରିଜ କାମ ଅଧାପନ୍ତରିଆ, ବଢୁଛି ଦୁର୍ଘଟଣା

ଛତ୍ରପୁର,୧୭ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ହୁମ୍ମା ଛକଠାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଫଳରେ ଏହା ଦୁର୍ଘଟଣା ହଟସ୍ପଟ ସ୍ଥାନ ହୋଇଛି। ବ୍ରହ୍ମପୁର- ଭୁବନେଶ୍ୱରକୁ ଯାତାୟାତ ପାଇଁ ଏନଏଚର ଉକ୍ତ ସ୍ଥାନ ଦେଇ ଯିବାକୁ ପଡିଥାଏ। ଓଭରବ୍ରିଜ କାମ ଅଧାପନ୍ତରିଆ ଥିବାରୁ ଜାତୀୟ ରାଜପଥର ଗୋଟିଏ ଲେନ ବନ୍ଦ ଅଛି । ଅନ୍ୟ ଗୋଟିଏ ଲେନରେ ଉଭୟ ପାର୍ଶ୍ୱରୁ ଯାନବାହାନ ଯାତାୟାତ କରୁଛି। ଏଥିସହ ଉକ୍ତ ଛକରେ ଟର୍ନିଂ ଥିବାରୁ ଏଠାରେ ରାସ୍ତା ମରଣଯନ୍ତା ପାଲଟିଛି। ବ୍ରିଜ ନିର୍ମାଣ କାର୍ଯ୍ୟ ପ୍ରାୟ ୪ବର୍ଷ ହେବ ଚାଲୁଥିବା ବେଳେ ଏ ପର୍ଯ୍ୟନ୍ତ ସରିପାରିଲା ନାହିଁ। ବିଭିନ୍ନ କାରଣ ଦର୍ଶାଇ ଏହି କାର୍ଯ୍ୟ ବନ୍ଦ ରହିଛି। ହୁମ୍ମା ପାଣ୍ଡି ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ଓଭରବ୍ରିଜ ନିର୍ମାଣ ବିଳମ୍ବ ହେତୁ ଏହି ରାସ୍ତାରେ ଦୁର୍ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ଅଟକି ରହୁଛି । ହୁମ୍ମା, ପାଳିବନ୍ଧ, ସୁବଳୟା ଏବଂ ମଲାଡ ପଞ୍ଚାୟତବାସୀ ନିତିଦିନିଆ କାର୍ଯ୍ୟ ପାଇଁ ହୁମ୍ମା ବଜାର ଉପରେ ନିର୍ଭରଶୀଳ। ହୁମ୍ମା ହାଟ, ପୋଷ୍ଟ ଅଫିସ, ମେଡ଼ିକାଲ, ପୋଲିସ ଫାଣ୍ଡି, ଆରଆଇ ଅଫିସ, ସ୍କୁଲ, କଲେଜ, ମନ୍ଦିର ଏବଂ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯାତାୟତ କରନ୍ତି। ସେପଟେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ହୁମ୍ମା ଫାଣ୍ଡି ପୋଲିସ ପକ୍ଷରୁ ନିଜସ୍ବ ଉଦ୍ୟମରେ ବାଉଁଶ ବନ୍ଧାଯିବା ସହ ବୋର୍ଡ଼ ଲାଗିଛି। ଦୁଇ ଥର ନକ୍ସା ପରିବର୍ତ୍ତନ କରାଗଲାଣି । ପ୍ରତ୍ୟେକ ଦିନ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ନ କରି ଏନଏଚଏଆଇ ଆଖି ବୁଝିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି।