ମହାକାଶରେ ‘ହମ୍‌’ ଗୁଞ୍ଜନ

ଓ୍ବାଶିଂଟନ,୧୯।୧: ମହାକାଶରେ ବ୍ରହ୍ମାଣ୍ଡରୁ ଶବ୍ଦ ସୃଷ୍ଟି ହେଉଛି। ଏଠାରେ ‘ହମ୍‌’ ଗୁଞ୍ଜନ ସୃଷ୍ଟି ହେଉଥିବା ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ମହାକାଶରେ କୌଣସି ମାଧ୍ୟମ ନ ଥିବାରୁ ଏଠାରେ ଶବ୍ଦ ସୃଷ୍ଟି ହେଲେ ମଧ୍ୟ ଏହା ଗତି କରିବା ଅସମ୍ଭବ। ତେବେ ସୃଷ୍ଟି ହେଉଥିବା ଏହି ଶବ୍ଦ ଗୁରୁତ୍ୱାକର୍ଷଣ ତରଙ୍ଗ ଯୋଗୁ ଉତ୍ପନ୍ନ ହେଉଥିବା ଅନୁମାନ କରାଯାଉଛି। ମହାକାଶବିଜ୍ଞାନୀ ଏହି ସିଗ୍‌ନାଲ୍‌କୁ ରେକର୍ଡ କରିଛନ୍ତି। ବିଭିନ୍ନ ମହାଜାଗତିକ ଘଟଣା ଦ୍ୱାରା ଗୁରୁତ୍ୱାକର୍ଷଣ ତରଙ୍ଗ ମଧ୍ୟରେ ହେଉଥିବା ଘର୍ଷଣ ଯୋଗୁ ଏଭଳି ଶବ୍ଦ ସୃଷ୍ଟି ହେଉଥିବା ମହାକାଶ ବିଜ୍ଞାନୀ ଅନୁମାନ କରିଛନ୍ତି। କୋଲରାଡୋ ବିଶ୍ୱବିଦ୍ୟାଳୟ ଏବଂ ନାସାରେ ମିଳିତ ସହଯୋଗରେ ଏହି ଶବ୍ଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ପାରିଛି। ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି। ଏହି ଶବ୍ଦର ଅଧ୍ୟୟନରୁ ବ୍ରହ୍ମାଣ୍ଡ ସୃଷ୍ଟି ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

Share