୧୨ଟି ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ

ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ଫୁଲିବା ସହିତ ବିପଦ ସଙ୍କେତ ଟପିଛି। ମଥାନୀ ଠାରେ ନଦୀର ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ବୁଧବାର ସନ୍ଧ୍ୟା ୬ଟାରେ ନଦୀ ୬.୬୪ମିଟରରେ ପ୍ରବାହିତ ହେଉଥିବା ମଥାନୀ ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି। ନଦୀର ଜଳସ୍ତର ବଢିବା ଯୋଗୁ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଯଥା-ଚକୁରୀ, ମଥାନୀ, ଦୁଧହଂସା, ରାଉତପଡ଼ା, ବାହାର୍ଦ୍ଦା, ସଦାନନ୍ଦପୁର, ପତ୍ରଝା, କୁଡ଼ିଆ, ଦରଡ଼ା, ବ୍ରାହ୍ମଣଦା ପଞ୍ଚାୟତର ଚାଷଜମି ଉପରେ ବନ୍ୟାପାଣି ମାଡ଼ିଯାଇଥିବା ବେଳେ ସଦର ବ୍ଳକର ଶ୍ରୀରାମପୁର, ରସଲପୁର ପଞ୍ଚାୟତର ଚାଷ ଜମି ମଧ୍ୟ ଜଳମଗ୍ନ ରହିଛି। ବୁଧବାର ବସ୍ତା ବ୍ଳକରେ ୭୫ମିଲିମିଟର ବର୍ଷା ରେକର୍ଡ ହୋଇଛି। ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାରୁ ଜଳକା ନଦୀରେ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନଦୀର ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଜିଲାପାଳ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Share