ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…

ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍‌ ସ୍ପିଟ୍‌ରେ ଏତେ ସଂଖ୍ୟକ ମୃତ ପକ୍ଷୀଙ୍କୁ ଦେଖି ପରିବେଶବିତ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୭୦୦୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ କିଭଳି ଘଟିଲା ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

ମୃତ ପକ୍ଷୀଙ୍କ ମଧ୍ୟରେ କଳା ବେକ ଗ୍ରୀବ୍ସ, ସମୁଦ୍ର ପାରା, ଗୁଲ୍‌ ଆଦି ପ୍ରଜାତି ରହିଛନ୍ତି। ଭୂତାଣୁ ସଂକ୍ରମଣ ଯୋଗୁ ଏଭଳି ହୋଇଥିବା କ୍ରିମିୟନ୍‌ ଫେଡେରାଲ ୟୁନିଭରସିଟିର ପ୍ରଫେସର ଗ୍ରେଗୋରି ପ୍ରୋକୋପୋଓ୍ବ ସୂଚନା ଦେଇଛନ୍ତି। କୌଣସି ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ଏଭଳି ହୋଇ ନ ଥିବା ସେ କହିଛନ୍ତି।

ଜାରି ହୋଇଥିବା ଏକ ଭିଡ଼ିଓରେ କିଛି ପକ୍ଷୀ ନିଜ ଚାରିପଟେ ଗୋଲ ଗୋଲ ବୁଲିବା ସହିତ ଶେଷରେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିବାର ଦେଖିବାକୁ ମିଳୁଛି। ମୃତ ପକ୍ଷୀଙ୍କ ତନ୍ତ୍ରିକା ତନ୍ତ୍ରରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରାଣୀ ବିଜ୍ଞାନୀ ଏହାର କାରଣ ସମ୍ପର୍କରେ ସନ୍ଧାନ ଜାରି ରଖିଛନ୍ତି। ଏବେ ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share