ବାଲି ତଳେ ଲୁଚିଛି ସତ…

କାନପୁର,୧୪।୫: କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଜାଗା ମିଳୁ ନ ଥିବା ବେଳେ ମୃତଦେହଗୁଡ଼ିକୁ ଏଣେତେଣେ ପୋତାଯାଉଥିବା ଘଟଣା ବହୁଥର ସାମ୍ନାକୁ ଆସିଛି। ହେଲେ ଏବେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଛାତି ଥରିଉଠିବ। ଉତ୍ତରପ୍ରଦେଶ ଉନ୍ନାଓ ଜିଲାର ବକ୍ସର ଘାଟ ଭଳି କାନପୁର ଜିଲାର ଶିବରାଜପୁରର ଖେରେଶ୍ୱର ଘାଟରେ ମଧ୍ୟ ଶହ ଶହ କରୋନା ରୋଗୀଙ୍କ ମୃତଦେହ ପୋତାଯାଇଥିବା ଦେଖିବାକୁ ମିଳିଛି।

ଗଙ୍ଗା ନଦୀର ମଝିରେ ଏବଂ କୂଳରେ ଶତାଧିକ ମୃତଦେହ ପୋତାଯାଇଛି। ଏହି ଦୃଶ୍ୟ ସେତେବେଳକୁ ସାମ୍ନାକୁ ଆସିଥିଲା ଯେତେବେଳେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ସବୁ ବାଲି ଧୋଇ ହୋଇଯିବାରୁ ମୃତଦେହ ଗୁଡ଼ିକ ଜଳଜଳ ଦେଖାଯାଇଥିଲା। କାହାର ହାତ ତ ବାହାରିଛି ତ ଆଉ କାହାର ଗୋଡ, ଆଉ କାହାକୁ କୁକୁର କ୍ଷତବିଖତ କରିଦେଇଛି। ସ୍ଥିତି ଏଭଳି ଯେ, କେଉଁଠାରେ ପାଦ ମଧ୍ୟ ରଖିବାକୁ ଜାଗା ନାହିଁ। ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ ଯୁଆଡେ ଆଖି ବୁଲାଇଲେ ସେଠାରେ ମୃତଦେହ ପୋତାଯାଇଥିବା ନଜର ଆସୁଛି। କୁହାଯାଉଛି, କାଠର ଦର ମହାଙ୍ଗା ହେବାରୁ ଏବଂ ଶ୍ମଶାନରେ ଜାଗା ନ ମିଳିବାରୁ ସ୍ଥାନୀୟ ଲୋକ ଏଠାରେ ନିଜ ସର୍ମ୍ପକୀୟଙ୍କ ମୃତଦେହକୁ ପୋତି ଦେଇଛନ୍ତି। ଗୁରୁବାର ଏନେଇ ଖବର ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ତଦାରଖ କରିଥିଲେ।

Share