ମାଲକାନଗିରି,୧୭ା୭(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲାରେ। ଜିଲାର କାଡିୟମ ବ୍ଲକ ଅନ୍ତର୍ଗତ ପୁଲସଲଙ୍କା ଗ୍ରାମ ନିକଟ ଧବଳେଶ୍ୱର ବ୍ୟାରେଜ୍ ନିକଟରେ ଥିବା ଗୋଦାବରୀ ନଦୀର ଏକ ଟାପୁରେ ୧୦୦ରୁ ଊର୍ଦ୍ଧ୍ୱ ହରିଣ ଫସି ରହିଛନ୍ତି।
ପୂର୍ବ ଗୋଦାବରୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ ଜଙ୍ଗଲରେ ଥିବା ହରିଣପଲ କେଉଁଆଡେ ଯାଇ ନ ପାରି ଟାପୁରେ ରହିଯାଇଥିବା ଜଣାପଡିଛି। ବନ୍ୟା ପାଣିରେ ଭାସି ଆସିଥିବା ୪ଟି ହରିଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ଗୋଟିଏ ହରିଣକୁ କୁକୁରପଲ ମାରି ଦେଇଥିବା ଜଣାପଡିଛି। ଖବର ପାଇ ଆନ୍ଧ୍ର ଗୋଦାବରୀ ଜିଲାର ବନ ବିଭାଗ ଅଧିକାରୀଙ୍କ ସହ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କିପରି ହରିଣଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି। କେଉଁ ଅଞ୍ଚଳରୁ ଏହି ହରିଣପଲ ଆସି ଫସିଛନ୍ତି ସେନେଇ ତଦନ୍ତ କରାଯାଉଛି।