
ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଛଟେଇ ହୋଇଥିବା ବାହ୍ୟ ଠିକା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି, ସମାନ କାମକୁ ସମାନ ଦରମା ଏବଂ ବାହ୍ୟ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବିରେ ଶୁକ୍ରବାର ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଦେବଗଡ଼ ଶାଖା ପକ୍ଷରୁ କଳାବ୍ୟାଜ ପରିଧାନ ଶେଷ ହୋଇଛି। ତେବେ ଆଗାମୀ ୨୬ ତାରିଖରେ ଭୁବନେଶ୍ୱରସ୍ଥିତ ଲୋୱର ପିଏମ୍ଜିରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ହେବାକୁ ଥିବା ଧାରଣା ପାଇଁ ସଜବାଜ ଆରମ୍ଭ ହୋଇଛି। ଏହି ଧାରଣାରେ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଦେବଗଡ ଶାଖାର ୨୦୦ରୁ ଊର୍ଦ୍ଧ୍ୱ ସଦସ୍ୟାସଦସ୍ୟ ଅଂଶଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଉପରୋକ୍ତ ୩ ଦଫା ଦାବିରେ ଦେବଗଡ ଜିଲାରେ ୨୯ଟି ବିଭାଗରେ କାର୍ଯ୍ୟରତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସରକାରୀ ଆଉଟସୋର୍ସିଂ କର୍ମଚାରୀ ଗତ ୧୭ ତାରିଖଠାରୁ ଜିଲା ସଦର ମହକୁମା ସମେତ ଜିଲାର ୩ଟି ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ କଳାବ୍ୟାଜ ପରିଧାନ କରି ସାଙ୍କେତିକ ଆନ୍ଦୋଳନ ଚଲାଇବା ସହ ଶାନ୍ତିପୂର୍ଣ୍ଣ ଭାବେ ନିଜର କାର୍ଯ୍ୟ ସମ୍ପାଦକ କରୁଥିଲେ। ସେହିପରି ଶୁକ୍ରବାର ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚଳାଇବାକୁ ନଷ୍ପତ୍ତି ନେବା ସହ ୨୨ ତାରିଖ ମଧ୍ୟରେ ଉପରୋକ୍ତ ୩ ଦଫା ଦାବି ପୂରଣ ନ ହେଲେ ୨୬ ତାରିଖରେ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୱର ପିଏମ୍ଜିରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସରକାରଙ୍କୁ ଲିଖିତ ଚେତାବନୀ ଦେଇଥିଲେ।