ଶହେ କୋଟି ଭାରତୀୟ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା: ନୀତି ଆୟୋଗ

ନୂଆଦିଲ୍ଲୀ, ୨୪।୯: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଏଭଳି ଧାରା ଜାରି ରହିଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ କୋଟି ଟପିବାର ଆଶଙ୍କା ରହିଥିବା ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦେଶର ୮୫ ପ୍ରତିଶତ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଛି। ଏନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ. ପଲ୍‌ ସୂଚନା ଦେଇଛନ୍ତି। ତେବେ ଏବେ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ପଲ୍‌ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ କେହି ରୋକି ପାରିବେ ନାହିଁ। କିନ୍ତୁ କେତେକ ସୁରକ୍ଷା ମାର୍ଗଦର୍ଶିକା ପାଳନ କରିବା ଦ୍ୱାରା ସଂକ୍ରମଣରୁ ସହଜରେ ଦୂରେଇ ରହିହେବ। ଏହି ଭୂତାଣୁ ଜଣଙ୍କଠାରୁ ୫ ଜଣ ଏବଂ ପରେ ୫ ଜଣଙ୍କଠାରୁ ୫୦ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଧୀରେଧୀରେ ଏଭଳି ସଂକ୍ରମଣ ଜାରି ରହିଛି। ଅଗାମୀ ଦିନରେ ଏହା ପୁଣି ବଢ଼ିବ ବୋଲି ସେ ସତର୍କ ସୂଚନା ଦେଇଛନ୍ତି। ସଂକ୍ରମଣ ବଢୁଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ କହିଛନ୍ତି। ସେହିପରି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, ଦେଶର ୮୦ରୁ ୮୫ ପ୍ରତିଶତ ଲୋକ ସଂକ୍ରମଣର ଅତି ସମ୍ବେଦନଶୀଳ ଶ୍ରେଣୀଭୁକ୍ତ ରହିଛନ୍ତି। ଅପରପକ୍ଷରେ ୧୫ ପ୍ରତିଶତ ଲୋକ ହୁଏତ ପୂର୍ବରୁ ଆକ୍ରାନ୍ତ ହୋଇସାରିଛନ୍ତି ଅଥବା ସେମାନଙ୍କଠାରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଛି। କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶରେ ହର୍ଡ ଇମୁନିଟି ସୃଷ୍ଟି ହେବା ପାଇଁ କିଛି ସମୟ ଲାଗିବ ବୋଲି କହିଥିଲେ। ତେଣୁ ସରକାର ସାର୍ବଜନୀକ ସ୍ବାସ୍ଥ୍ୟ ସେବାକୁ ଗରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୯ ଛୁଇଁଛି। ସେହିପରି ମୃତ୍ୟୁ ସଂଖ୍ୟା ୯୧ ହଜାର ୧୪୯ରେ ପହଞ୍ଚିଛି।

Share