ପାଣି ମୁନ୍ଦେ ପାଇବାକୁ ୪ଶହ ଲୋକ କଲବଲ

ମାଲକାନଗିରି,୫।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତାର ଅଭାବ ଯୋଗୁ ଯୋଜନା କେବଳ ସରକାରୀ କାଗଜପତ୍ରରେ ସୀମିତ ରହିଯାଉଛି। ଲୋକେ ପାନୀୟ ଜଳ ମୁନ୍ଦେ ପାଇବାକୁ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ମାଲକାନଗିରି ଜିଲା ସଦର ମହକୁମାଠାରୁ ୧୫ କି.ମି. ଦୂରରେ ଥିବା ସିନ୍ଧ୍ରିମାଳ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ସିନ୍ଧ୍ରିମାଳ ଗ୍ରାମରେ ୪ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗ୍ରାମରେ ୩ଟି ନଳକୂପ ରହିଛି। ଏଥିରୁ ଗୋଟିଏ ଭାଙ୍ଗିରୁଜି ପଡ଼ିଛି। ଆଉ ଗୋଟିଏରୁ କଳଙ୍କି ମିଶା ପାଣି ବାହାରୁଛି । ଗୋଟିଏ ନଳକୂପ ଭଲ ଅଛି। ନଳକୂପ ପାଖରେ ଘଣ୍ଟା ଘଣ୍ଟା ଧରି ଗ୍ରାମବାସୀ ଛିଡ଼ା ହୋଇ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମରେ ଥିବା ପାଣିଟାଙ୍କି ମଧ୍ୟ ୩ ମାସ ହେଲା ଖରାପ ହୋଇପଡ଼ିଛି। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚ, ପିଇଓ ଏବଂ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ମାଲକାନଗିରି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଏସ୍‌ଡିଓଙ୍କୁ ପଚାରିବାରୁ ସିନ୍ଧ୍ରିମାଳ ଗ୍ରାମର ପାଣି ସମସ୍ୟା ଦୂରକରିବେ ବୋଲି କହିଛନ୍ତି।