ଅଦିନିଆ ବର୍ଷାରେ ଶତାଧିକ ବସ୍ତା ଧାନ ନଷ୍ଟ

ମାଲକାନଗିରି,୨୦।୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଧାନମଣ୍ଡି ବନ୍ଦ ହୋଇଛି। ଟୋକନ ସମସ୍ୟା ଯୋଗୁ ଅନେକ ଚାଷୀ ଧାନ ବିକ୍ରି କରି ନ ପାରି ବସ୍ତାରେ ଭର୍ତ୍ତିକରି ବିଲରେ ରଖିଥିଲେ। ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ଧାନବସ୍ତାଗୁଡ଼ିକ ଭିଜି ନଷ୍ଟ ହୋଇଛି। ସେହିପରି ଅନେକ ଧାନବସ୍ତା ମୂଷା ଏବଂ ଗୋରୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବର୍ଷକର ପରିଶ୍ରମ ଏଭଳି ପାଣିରେ ପଡ଼ିଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ମଣ୍ଡିରେ ଧାନ ବିକ୍ରିକୁ ନେଇ ସମସ୍ୟା ବିଷୟରେ ଅନେକ ସମୟରେ ଚାଷୀ ଆନ୍ଦୋଳନ ହୋଇଛି। ତଥାପି ସରକାରଙ୍କ ପକ୍ଷରୁ ଧାନ କିଣିବା ନିମନ୍ତେ କୌଣସି ନିଷ୍ପତ୍ତି ନିଆଯାଉନାହିଁ। ତେଣୁ ଚାଷୀ ପୂର୍ବରୁ ଚିନ୍ତାରେ ଥିଲେ। ଏବେ ଅଦିନିଆ ବର୍ଷା ସବୁକିଛି ଉଜାଡ଼ି ଦେଇଛି। ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ବି. ଏଲାୟା, ସରୋଜ ମହାନ୍ତି, ସୁକୁମାର ସରକାର, ବିଜୁ ମାଢ଼ି, ସମରା ମାଡ଼କାମି, ଭୀମା ବାର୍ସେ, ଉଙ୍ଗା ପଡ଼ିଆମି, ଅଶୋକ କୁମାର ବାରିକ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ବର୍ଷାରେ ନଷ୍ଟ ହୋଇଥିବା ଧାନ ବାବଦକୁ କ୍ଷତିପୂରଣ ସହ ଚାଷୀଙ୍କ ସମସ୍ତ ଧାନ ମଣ୍ଡି ମାଧ୍ୟମରେ କିଣାଯାଉ ବୋଲି ସେମାନେ ଦାବି କରିଛନ୍ତି।