ଟେଲିଗ୍ରାମ ସିଇଓଙ୍କ ଶତାଧିକ ‘ଜୈବିକ ପିଲା’

ଦୁବାଇ,୩୧।୭: ସୋସିଆଲ ମିଡିଆ ମେସେଜିଂ ପ୍ଲାଟ୍‌ଫର୍ମ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ ପାବେଲ୍‌ ଡ୍ୟୁରୋବ୍‌(୩୯)ଙ୍କ ୧୦୦ରୁ ଅଧିକ ଜୈବିକ ପିଲା ରହିଛନ୍ତି। ଦୁବାଇର ଏହି ପ୍ରଭାବଶାଳୀ ଉଦ୍ୟୋଗୀ ଟେଲିଗ୍ରାମରେ ନିଜ ୫.୭ ମିଲିୟନ ସବ୍‌ସ୍କ୍ରାଇବରଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ପାବେଲ୍‌ କହିଛନ୍ତି, ଆଜିକୁ ୧୫ ବର୍ଷ ତଳେ ଜଣେ ବନ୍ଧୁ ଏକ ଅଜବ ଅନୁରୋଧ ନେଇ ତାଙ୍କ ନିକଟକୁ ଆସିଥିଲେ। ପ୍ରଜନନ ଜନିତ କିଛି ସମସ୍ୟା ଯୋଗୁ ଉକ୍ତ ବନ୍ଧୁ ଓ ତାଙ୍କ ସ୍ତ୍ରୀ ପିଲା ଜନ୍ମ କରିବାକୁ ସକ୍ଷମ ହେଉ ନ ଥିଲେ। ତେଣୁ ସନ୍ତାନ ଜନ୍ମ ପାଇଁ ଶୁକ୍ରାଣୁ ଦାନ କରିବାକୁ ସେ ପାବେଲ୍‌ଙ୍କୁ ଅନୁରୋଧ କରିଥିଲେ। ଏନେଇ ଅଧିକ ତଥ୍ୟ ହାସଲ କରିବାକୁ ସେ ନିକଟସ୍ଥ ଆଇବିଏଫ୍‌ (ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ୍‌) କ୍ଲିନିକ୍‌କୁ ଯାଇଥିଲେ। ଉକ୍ତ କ୍ଳିନିକ୍‌ର ମୁଖ୍ୟ ଡାକ୍ତର କହିଥିଲେ, ଏପରି ବହୁ ଦମ୍ପତି ରହିଛନ୍ତି, ଯେଉଁମାନେ ବିଭିନ୍ନ ଶାରୀରିକ ସମସ୍ୟା ଯୋଗୁ ସନ୍ତାନ ଜନ୍ମର ସୌଭାଗ୍ୟ ପାଉନାହାନ୍ତି। ଶୁକ୍ରାଣୁ ଦାନ ହିଁ ଏହାର ଏକମାତ୍ର ସମାଧାନ। ଶାରୀରିକ ଭାବେ ସୁସ୍ଥ ଥିବାରୁ ଡାକ୍ତର ତାଙ୍କୁ ଶୁକ୍ରାଣୁ ଦାନ କରିବାକୁ ପରାମର୍ଶ ଦେଇଥିଲେ। ପରେ ପାବେଲ୍‌ ଉକ୍ତ ଆଇବିଏଫ୍‌ କ୍ଲିନିକ୍‌ ସହ ଚୁକ୍ତିନାମାରେ ସ୍ବାକ୍ଷର କରି ନିଜର ଶୁକ୍ରାଣୁ ଦାନ କରିଥିଲେ। ଏବେ ତାଙ୍କ ଦ୍ୱାରା ଦାନ କରାଯାଇଥିବା ଶୁକ୍ରାଣୁ ସାହାଯ୍ୟରେ ୧୨ ଦେଶରେ ୧୦୦ରୁ ଅଧିକ ଜୈବିକ ପିଲା ଜନ୍ମ ହୋଇଛନ୍ତି। ତେବେ ବର୍ତ୍ତମାନ ସେ ଶୁକ୍ରାଣୁ ଦାନ କରିବା ବନ୍ଦ କରିସାରିଥିଲେ ମଧ୍ୟ ଗୋଟିଏ କ୍ଲିନିକ୍‌ରେ ତାଙ୍କ ସ୍ପର୍ମ ଗଚ୍ଛିତ ହୋଇରହିଛି, ଯାହା ମାଧ୍ୟମରେ ଅନ୍ୟ କେତେକ ଦମ୍ପତି ମଧ୍ୟ ସନ୍ତାନ ଲାଭ କରିପାରିବେ।
ନିଜ ଜୈବିକ ପିଲାଙ୍କୁ ନେଇ ଭବିଷ୍ୟତରେ ରହିଥିବା ଯୋଜନାକୁ ମଧ୍ୟ ପାବେଲ୍‌ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଡିଏନ୍‌ଏକୁ ଓପନ ସୋର୍ସ କରିବାକୁ ଯୋଜନା କରୁଛନ୍ତି। ଏହା ଦ୍ୱାରା ତାଙ୍କ ଜୈବିକ ସନ୍ତାନସନ୍ତତି ପରସ୍ପରକୁ ଖୋଜି ପାଇପାରିବେ। ତେବେ ଶୁକ୍ରାଣୁ ଦାନ କରୁଥିବାରୁ ଅନେକ ବ୍ୟକ୍ତି ତାଙ୍କ ଉପରେ ପ୍ରଶ୍ନ ଉଠାନ୍ତି ବୋଲି ଏହି ପୋଷ୍ଟରେ ଟେଲିଗ୍ରାମ ସିଇଓ କହିଛନ୍ତି। ସନ୍ତାନହୀନତା ସମସ୍ୟା ସହ ଜୁଝୁଥିବା ଲୋକଙ୍କ ଜୀବନରେ ଖୁସି ଆଣିବା ପାଇଁ ସେ ଏହି କାର୍ଯ୍ୟ କରିଛନ୍ତି, ଏଥିରେ ଲଜ୍ଜିତ ହେବାର ନାହିଁ ବୋଲି ପାବେଲ୍‌ କହିଛନ୍ତି।

Share