ସେତୁ ନିର୍ମାଣ ପାଇଁ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୨୫ା୧୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଡମଶାଳ ନାଳରେ ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର କାଲିଆପାଣିଠାରୁ ଓସ୍ତପାଳକୁ ସଂଯୋଗ ନିମନ୍ତେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାଜପୁର ଟାଉନ ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ ହାତେଇଛନ୍ତି। ଏଥିପାଇଁ ବନ ବିଭାଗର ବିନା ଅନୁମତିରେ ଡମଶାଳ ନାଳକୂଳରେ ଥିବା ଶହେରୁ ଊର୍ଦ୍ଧ୍ୱ ଗଛ କାଟି ଦେଇଛନ୍ତି ଠିକାଦାର। ପରେ ସେହି କାଠରେ କ୍ୟାମ୍ପ୍‌ ନିର୍ମାଣ କରିବା ସହିତ ଏକ ଟ୍ରିପ୍‌ରୁ ଅଧିକ ମୂଲ୍ୟବାନ କାଠ ସେଠାରେ ରଖିଥିବା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ସାଧାରଣରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଠାରେ ପୂର୍ବରୁ ଏକ ପୋଲ ରହିଥିବା ବେଳେ ଆଉ ଏକ ପୋଲ ଠିକ ସେହି ସ୍ଥାନରେ ନିର୍ମାଣ ନିମନ୍ତେ ଗଛ କଟାକୁ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ତେବେ ୨/୩ ଦିନ ଧରି ଠିକାଦାର ଗଛ କାଟି ନଷ୍ଟ କରିଥିଲେ ବି ସେଠାରେ ବନ ବିଭାଗର କେହି ଅଧିକାରୀ ପହଞ୍ଚତ୍ ପାରିନାହାନ୍ତି। ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଏକ ବର୍ଷ ପୂର୍ବରୁ ଟେଣ୍ଡର ହୋଇଥିବାବେଳେ ଠିକାଦାର ଏବେ କାର୍ଯ୍ୟ ଠିକାଦାର ଆରମ୍ଭ କରିଛନ୍ତି। ତେବେ ଠିକାଦାର କାହା ବଳରେ ଏଭଳି କାର୍ଯ୍ୟ କରିବାର ସାହସ କଲେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏନେଇ ସମ୍ପୃକ୍ତ ଠିକାଦାରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ରାସୋଳ ଫରେଷ୍ଟର ନରେଶ କୁମାର ଟୁଡୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

Share