Advertisement

ବର୍ଷାରେ ବୁଡ଼ିଲା ବଙ୍ଗଳାଗୁଡ଼ା ପୋଲ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର

କୋରାପୁଟ,୧୨ା୭(ଅମିତାଭ ବେହେରା): ବୁଧବାର କୋରାପୁଟରେ ହୋଇଥିବା ପ୍ରବଳ ବର୍ଷାରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଥିବା ବଙ୍ଗଳାଗୁଡ଼ା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛିଛନ୍ତି।

ସୂଚନା ଥାଉକି, କୋରାପୁଟରୁ ରାୟଗଡ଼ା ଯାଇଥିବା ମୁଖ୍ୟ ରାସ୍ତାର ବଙ୍ଗଳାଗୁଡ଼ା ପୋଲଟି କିଛି ମାସ ତଳେ ହଠାତ୍‌ ଭାଙ୍ଗିଯାଇଥିଲା। ଯାହା ଫଳରେ ଯାତାୟାତରେ ବହୁ ଅସୁବିଧା ହେଉଥିଲା। ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲ କଡ଼ରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ସେଇ ପୋଲ ଦେଇ ଗାଡ଼ିଗୁଡ଼ିକ କୋରାପୁଟ ରାୟଗଡ଼ା ଯାତାୟାତ କରୁଛନ୍ତି। ଅସ୍ଥାୟୀ ପୋଲଟି କମ୍‌ ଉଚ୍ଚତା ହୋଇଥିବାରୁ ଟିକେ ବର୍ଷା ହେଲେ ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଛି l ଆଜି ପ୍ରବଳ ବର୍ଷା ହୋଇଥିବାରୁ ପାହାଡ଼ ଉପରୁ ବହି ଆସୁଥିବା ପାଣି ସେଇ ପୋଲ ଉପର ଦେଇ ପ୍ରବାହିତ ହେଉଛି। ଯାହା ଫଳରେ କୋରାପୁଟରୁ ରାୟଗଡ଼ା ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ରାୟଗଡ଼ାକୁ ଯାଉଥିବା ଗାଡ଼ିଗୁଡ଼ିକ ଏବେ ଦାମନଯୋଡ଼ି ଦେଇ ଯାଉଛି। ବଙ୍ଗାଳାଗୁଡ଼ାରେ ଏକ ନୂତନ ପୋଲ ନିର୍ମାଣ ନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel