ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା ଗ୍ରାମର ପୂର୍ବତନ ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ତାଙ୍କ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ଜୟଶ୍ରୀ ଛକ ସ୍ଥିତି ବିଜେଡି କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଏନ୍‌ଏସି ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା। ଜେନାଙ୍କ ନେତୃତ୍ୱରେ ପୁଇଁତଳା ଗ୍ରାମର ବିଶ୍ୱନାଥ ପଲାଇ, ବିକ୍ରମ ମହାରଣା, ସୁଶାନ୍ତ କୁମାର ତରାଇଙ୍କ ସମେତ ଦାମୋଦରପୁର ଗ୍ରାମର ଶତାଧିକ କର୍ମୀ ଭାଜପା ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଭାଜପା ଛାଡ଼ି ନୂତନ ଭାବେ ବିଜେଡିରେ ମିଶିଥିବା ନେତା ଓ କର୍ମୀଙ୍କୁ ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏନ୍‌ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ନଗର ବିଜେଡି ସଭାପତି ରଙ୍କ ପଲାଇ, ପୂର୍ବତନ ଏନ୍‌ଏସି ଉପନଗରପାଳ ନୀଳାଞ୍ଚଳ ବାରିକ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା ପ୍ରମୁଖ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ। ସୁଦାମ ଦଳରେ ମିଶିବା ପରେ ଗଞ୍ଜାମ ଏନ୍‌ଏସିର ଶକ୍ତି ବୃଦ୍ଧି ପରିବା ସହ ବହୂ ବ୍ୟବଧାନରେ ବିଜେଡି ବିଜୟ ଲାଭ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ବ୍ୟକ୍ତ କରିଛନ୍ତି। ଅନ୍ୟ ପଟେ ଭାଜପାକୁ ଶକ୍ତ ଧକ୍କା ଲାଗିଥିବା ଚର୍ଚ୍ଚା ହେଉଛି। ବିଜେଡିର ମିଶ୍ରଣ ପର୍ବ ବେଳେ କାଉନସିଲର ବୁଡୁ ସାହୁ, ରମେଶ ଦାସ, ଶିବରାମ ଜେନା, ଋତୁରାଜ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଜେଡି ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।