କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି ଶହେ ବର୍ଷର ପିଟା ବାସନ ପରମ୍ପରା ଲୋପ ପାଇବାକୁ ବସିଲାଣି। ଆଜିକାଲି ମେଶିନରେ ଆଲୁମିନିୟମରୁ ବାସନ କୁସନ ବହୁଳ ଭାବରେ ପ୍ରସ୍ତୁତ ହେଉଥିବାରୁ ଧୀରେ ଧୀରେ ପିଟା ବାସନର ଚାହିଦା କମୁଛି। ପିଟା ଡେକ୍ଚିରେ ଖାଦ୍ୟର ସ୍ବାଦ ନିଆରା। ଏଣୁ ଏବେ ମଧ୍ୟ ଅନେକ ଘରେ ଏହି ଡେକ୍ଚିର ବ୍ୟବହାର ହୋଇଥାଏ। ସେହିପରି ମେଳା ମହୋତ୍ସବ ସମୟରେ ଏହି ପିଟା ଡେକ୍ଚିକୁ ପ୍ରାୟ ସମସ୍ତେ ଖୋଜନ୍ତି। ତେବେ କରୋନା କଟକଣା କାରିଗରଙ୍କ ଜୀବିକା ଉପରେ ପାହାର ସଦୃଶ୍ୟ ହୋଇଛି।
କଠିନ ପରିଶ୍ରମ କରି ହାତରେ ଆଲୁମିନିୟମକୁ ପିଟି ପିଟି ଡେକ୍ଚି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ଉଚିତ ମୂଲ୍ୟ ପାଉ ନ ଥିବାରୁ ଆଉ ଆଗଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। କଞ୍ଚାମାଲର ଅଭାବ, କୋଇଲା ଓ କଞ୍ଚାମାଲର ମୂଲ୍ୟ ବୃଦ୍ଧି, ବିକ୍ରିବଟା ପାଇଁ ବଜାରର ଅଭାବ ଯୋଗୁ ଏହି ବହୁ ପୁରାତନ କାରିଗରି ବନ୍ଦ ହେବାକୁ ବସିଛି। ତେବେ ଅନେକ ପୁରୁଖା କାରିଗର କଷ୍ଟସାଧ୍ୟ ହେଲେ ମଧ୍ୟ ଏହି କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ଧାର କରଜ କରି କଞ୍ଚା ମାଲ ଆଣି ବାସନକୁସନ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ବହୁ ପରିବାର ଏହି ବୃତ୍ତିକୁ ଆପଣାଇ ଆସୁଥିଲେ। ଏବେ ହାତ ଗଣତି କେତେକ ଘରେ ଏହା ଦେଖିବାକୁ ମିଳୁଛି। କେନ୍ଦୁଝର ସହରରୁ ଏହି ବାଟ ଦେଇ ପୁରୁଣା ସହର ଗଲେ ଆପେ ଆପେ ଡେକ୍ଚି ପ୍ରସ୍ତୁତ ଶବ୍ଦ ଶୁଣି ଜାଣି ପାରି ଡେକ୍ଚି କିଣିବାକୁ ଆସିଥାନ୍ତି। ଏବେ କରୋନା କଟକଣା ଯୋଗୁଁ ସବୁ କିଛି ଠପ୍ ହୋଇଯାଇଥିବାରୁ ସେମାନେ ଚିନ୍ତାରେ ରହିଥିବା ଉକ୍ତ ସାହିର ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଏବେ ପରିଶ୍ରମର ଫଳ ମିଳୁନାହିଁ। ନିଆଁ ଗରମରେ ଖଟୁଛୁ। ମଜୂରୀ ମିଳୁନାହିଁ। ମହାଜନ ପୁରୁଣା ମାଲ ଆଣି ଦେଲେ ତାହାକୁ ତରଳାଇ ପ୍ଲେଟ ତିଆରି ହୁଏ। ସେଥିରୁ ପିଟି ପିଟି ବାସନ ତିଆରି ହୁଏ ବୋଲି କାରିଗର ପ୍ରସନ୍ନ ସାହୁ କୁହନ୍ତି। ସୋସାଇଟି ନାହିଁ। ସାମଗ୍ରୀ ରଖିବା ପାଇଁ ଜାଗା ନାହିଁ। ସରକାରୀ ସହାୟତା ମଧ୍ୟ ମିଳୁନାହିଁ। ବାହାର ଜିଲା ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନ ହାଟ ବୁଲି ବୁଲି ବିକିଆସୁଥିବା କହିଛନ୍ତି।