Categories: ଜାତୀୟ

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା ଏସିଆନ୍‌ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର ଘଟିଛି। ଏଠାରେ ଚିକିତ୍ସିତ ହେଉଥିବା ରାଜକିଶୋର ନାମକ ଜଣେ ଲୋକଙ୍କର ମୃତ୍ୟୁ କ୍ୟାନସର ଯୋଗୁ ହୋଇଥିଲା। ଶନିବାର ରାତିରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିବାର ତାଙ୍କ ପରିବାରବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପରିବାରବର୍ଗ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ପହଞ୍ଚିଲେ। ସେଠାରେ ରାଜକିଶୋରଙ୍କ ମୃତଦେହ ଉପରୁ କପଡ଼ା ହଟା ଯାଇଥିଲା। ଜଣାପଡ଼ିଥିଲା ତାହା ରାଜକିଶୋରଙ୍କ ମୃତଦେହ ନୁହେଁ। ଏହା ଅନ୍ୟ ଜଣେ ମହିଳାଙ୍କର। ଫଳରେ ଶ୍ମଶାନ ଘାଟରେ ହଙ୍ଗାମା ହୋଇଥିଲା। ଅପରପକ୍ଷରେ ଏସିଆନ୍‌ ହସ୍ପିଟାଲରୁ ମଧ୍ୟ ଜଣେ କ୍ୟାନସର ପୀଡ଼ିତା ମହିଳା ଉଷାଙ୍କ ମୃତ ଦେହ ଗାଏବ ଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୁଦ୍ଧି ହଜିଯାଇଥିଲା। ରାଜକିଶୋରଙ୍କ ପରିବାରବର୍ଗ ହସ୍ପିଟାଲକୁ ଫୋନ୍‌ କରି ସେମାନଙ୍କ ହସ୍ତାନ୍ତର କରାଯାଇଥିବା ମୃତଦେହ ସମ୍ପର୍କରେ ଜଣାଇଥିଲେ। ତତ୍‌କ୍ଷଣାତ୍‌ ଏସିଆନ୍‌ ହସ୍ପିଟାଲ ପକ୍ଷରୁ ରାଜକିଶୋରଙ୍କ ମୃତ ଦେହ ଶ୍ମଶାନକୁୁ ଆମ୍ବୁଲାନ୍ସ୍‌ରେ ନିଆଯାଇଥିଲା। ସେଠାରୁ ପୋଲିସ ଉପସ୍ଥିତିରେ ଉଷାଙ୍କ ମୃତଦେହକୁ ଫେରାଇ ଅଣାଯାଇଥିଲା। ରାଜକିଶୋର ଏବଂ ଉଷାଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବୁଝାସୁଝା ମଧ୍ୟ କରିଥିଲେ। ଅସାବଧାନତା ବଶତଃ ଏଭଳି ଘଟିଥିବା ଏସିଆନ୍‌ ହସ୍ପିଟାଲର ସହାୟକ ଚିକିତ୍ସା ଅଧିକାରୀ ଡ. ଗୀତିକା ବିରଦି ସୂଚନା ଦେଇଛନ୍ତି। ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share