Categories: ଜାତୀୟ

କ୍ଷମତାର ଭୋକ ବିପଜ୍ଜନକ: ଯଶଓ୍ବନ୍ତ

ରାୟପୁର,୨।୭:ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ‘କ୍ଷମତା ପାଇଁ ଏକ ବିପଜ୍ଜନକ କ୍ଷୁଧା’ ବୋଲି ଅବିହିତ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ନେତା ଯଶଓ୍ବନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଯାହାସବୁ ଘଟିଗଲା ଆପଣମାନେ ତାହା ଦେଖିଛନ୍ତି। ଏହା ଆମ ଗଣତନ୍ତ୍ରର ଗୁରୁତ୍ୱ ବଢ଼ାଇଛି କି? ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସମାଜରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଭାରତକୁ ଜଣେ ନୀରବଦ୍ରଷ୍ଟା ତଥା ପ୍ରଧାନମନ୍ତ୍ରୀଙ୍କ କଥାରେ ପରିଚାଳିତ ରାଷ୍ଟ୍ରପତି ଦରକାର ନାହିଁ। ଏହି ସାମ୍ବିଧାନିକ ପଦବୀର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ତେଣୁ ଏହି ପଦବୀରେ ଆସିନ ହେଉଥିବା ବ୍ୟକ୍ତି ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇପାରିବା ଦରକାର। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ନିଜ ଦାୟିତ୍ୱ ତୁଲାଇ ପାରିବେନି ବୋଲି ଯଶଓ୍ବନ୍ତ ସନ୍ଦେହ ପ୍ରକଟ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଭାଜପା ଯଦି ପୂର୍ବରୁ ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିରୋଧୀ ଦଳଗୁଡ଼ିକ ସହିତ ଆଲୋଚନା କରିଥାନ୍ତା ତେବେ ବିରୋଧୀଙ୍କ ପକ୍ଷରୁ ଆଉ କାହାକୁ ପ୍ରାର୍ଥୀ କରାଯାଇ ନ ଥାନ୍ତା।

Share