Categories: ଫୁରସତ

ପ୍ରାଣୀର ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରେ କ୍ଷୁଧା

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କ୍ଷୁଧା ପ୍ରାଣୀର ନିଷ୍ପତ୍ତି ଗ୍ରହଣ କରିବା ସାମର୍ଥ୍ୟକୁ ପ୍ରଭାବିତ କରିବା ସହ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାଏ। ମୂଷାମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆନ୍ତଃଉତ୍ପାଦିତ କ୍ଷୁଧା ହର୍ମୋନ ପ୍ରାଣୀମାନଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ଆଚରଣ ବଦଳାଇଥାଏ। କ୍ଷୁଧା ହରମୋନ କିପରି ରକ୍ତ-ମସ୍ତିଷ୍କ ପ୍ରତିବନ୍ଧକକୁ ଅତିକ୍ରମ କରି ବ୍ରେନ୍‌ର କ୍ରିୟାଶୀଳତାକୁ ସିଧାସଳଖ ପ୍ରଭାବିତ କରିପାରେ ଓ ବ୍ରେନ୍‌ର ସର୍କିଟ୍‌କୁ ନିୟନ୍ତ୍ରିତ କରେ, ତାହା ଗବେଷକମାନେ ଜାଣିବାକୁ ପାଇଛନ୍ତି। ମାନବ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିବର୍ତ୍ତନ ଘଟିଥାଏ ବୋଲି ଗବେଷକ କହିଛନ୍ତି। ଏହି ଅଧ୍ୟୟନ ନିଉରନ୍‌ ପତ୍ରିକାରେ ପ୍ରକାଶ ପାଇଛି। ଗବେଷକମନେ ଖାଦ୍ୟ ସହ ମୂଷାମାନଙ୍କୁ ଏକ ଖୁଆଡ଼ ମଧ୍ୟରେ କିଛିଦିନ ପାଇଁ ରଖିଥିଲେ। ସେମାନଙ୍କ ପେଟ ଭର୍ତ୍ତି ଥିବାବେଳେ ଏବଂ କ୍ଷୁଧାରେ ଥିବାବେଳେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତାହା ଗବେଷକ ଅନୁଧ୍ୟାନ କରିଥିଲେ। ଅନ୍ୟ ମୂଷାମାନେ ଖାଦ୍ୟକୁ ଅନୁଧ୍ୟାନ କରିବାରେ ସମୟ ବିତାଉଥିବାବେଳେ କେବଳ କ୍ଷୁଧାରେ ଥିବା ମୂଷା ଖାଇବା ଆରମ୍ଭ କରୁଥିଲେ ବୋଲି ୟୁନିଭର୍ସିଟି କଲେଜ ଲଣ୍ଡନର ଗବେଷକ କହିଛନ୍ତି। ମୂଷାଙ୍କ ଭେଣ୍ଟ୍ରାଲ ହାଇପୋକ୍ୟାମ୍ପସ୍‌ ଯାହା ମସ୍ତିଷ୍କରେ ନିଷ୍ପତ୍ତି ନେବାରେ କାର୍ଯ୍ୟ କରିଥାଏ, ତାହାର କ୍ରିୟାଶୀଳତାକୁ ଅନୁଧ୍ୟାନ କରିବା ପାଇଁ ଗବେଷକମାନେ ବ୍ରେନ୍‌ ଇମେଜିଂର ଉପଯୋଗ କରିଥିଲେ।

Share