ଦନ୍ତାକୁ ମାରି ଦାନ୍ତ କାଢ଼ିନେଲେ

ବାରିପଦା, ୨୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ କୋର୍‌ ଅଞ୍ଚଳରେ ଶିକାରୀମାନେ ବିଷବୋଳା ତୀର ବିଦ୍ଧ କରି ଏକ ଦନ୍ତାହାତୀକୁ ମାରିବା ପରେ ଏସିଡ୍‌ ଢାଳି ତା’ର ଦାନ୍ତ କାଢ଼ି ନେଇଛନ୍ତି। ବନବିଭାଗ ଏହି ଘଟଣା ଲୁଚାଇ ରଖି ମୃତଦେହ ବ୍ୟବଚ୍ଛେଦ କରି ପୋଡ଼ିଦେଇଛି। ଏନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭୟାରଣ୍ୟର ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କଫୋର୍ସ କାମ କରୁଥିବା ବେଳେ ହାତୀ ଶିକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବା ପାଇଁ ବିଭାଗୀୟ ଯୋଜନା ଫେଲ୍‌ ମାରିଛି। ସୂଚନାଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ନ୍ୟାସନାଲ ପାର୍କ କବାଟଘାଇ ସେକ୍ସନ କାଣ୍ଡିହାର ବିଟ୍‌ ଅଞ୍ଚଳର ବକୁଆ ପାହଡ଼ ନିକଟରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗ ମୃତଦେହ ଜବତ କରିଥିଲା। ୮ଦିନ ପୂର୍ବରୁ ଏହି ହାତୀ ଶିକାର କରାଯାଇଥିବା କୁହାଯାଉଛି। ଦୁର୍ଗାପୂଜା ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଟାସ୍କଫୋର୍ସରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ ଫେରାଇ ନିଆଯିବା କାରଣରୁ ଦୀର୍ଘଦିନ ଧରି ମିଳିତ ପାଟ୍ରୋଲିଂ ବନ୍ଦ ରହିଛି। ଫଳରେ ଶିକାରୀମାନେ ସକ୍ରିୟ ହୋଇ ନିର୍ଭୟରେ ଜନ୍ତୁ ଶିକାର କରୁଛନ୍ତି। ଶିମିଳିପାଳ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଆପ୍‌ର ବ୍ୟବହାର କରାଯାଇ କର୍ମଚାରୀଙ୍କ ପାଟ୍ରୋଲିଂ ସମ୍ପର୍କରେ ସୂଚନା ମିଳୁଥିଲା। ମାତ୍ର ଶିକାରୀମାନେ ହାତୀ ଶିକାର କରି ଦାନ୍ତ କାଢ଼ିନେବା ପରେ ମଧ୍ୟ କର୍ମଚାରୀମାନେ ସୁରାକ ପାଇବାରେ ବିଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ପଚାରିବାରୁ ୧୯ତାରିଖରେ କରଞ୍ଜିଆ ଡିଭିଜନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଦୁଇଟି ହାତୀଦାନ୍ତ ଜବତ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଉକ୍ତ ଦାନ୍ତ ଦୁଇଟି ମୃତ ହାତୀର ବୋଲି ଜଣାପଡ଼ିବା ପରେ ତଦନ୍ତରେ ଯାଇ ହାତୀର ମୃତଦେହ ପାଇଥିଲୁ। ମୃତଦେହ ବ୍ୟବଚ୍ଛେଦ ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି ବୋଲି ସେ କହିଛନ୍ତି। ତେବେ ମୁକୁଳା ପଡ଼ିଥିବା ଅଭୟାରଣ୍ୟର ସୁରକ୍ଷା ପ୍ରତି ବନବିଭାଗ ସଜାଗ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି।

Share