Categories: ଖେଳ

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)-
ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ ପ୍ରଦର୍ଶନର ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଏଚପିସିରେ ନିକଟରେ ଅନୁଷ୍ଠିତ ସ୍ପ୍ରିଣ୍ଟ ଏବଂ ମିଡିଲ ଡିଷ୍ଟାନ୍ସ ଫେଷ୍ଟରେ ସବିତା ଶ୍ରେଷ୍ଠ ମହିଳା ପ୍ରଦର୍ଶନକାରୀ ବିବେଚିତ ହୋଇଥିଲେ। ସେ ୬ ରେସ୍‌ ମଧ୍ୟରୁ ୪ ଥର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଦେବାରେ ସକ୍ଷମ ହୋଇଥିଲେ। ଏଥିରେ ୩ ଥର ତାଙ୍କ ପ୍ରିୟ ଇଭେଣ୍ଟ ୧୦୦ ମିଟର ହର୍ଡଲ୍ସ ସାମିଲ। ଗତବର୍ଷ ଅଗଷ୍ଟରେ ଏଚପିସିରେ ଯୋଗ ଦେଇଥିବା ସବିତା ଇତିମଧ୍ୟରେ ୨ ସେକେଣ୍ଡରୁ ଅଧିକ ଉନ୍ନତି ଆଣିଛନ୍ତି ଏବଂ ୧୦୦ ମିଟର ହର୍ଡଲ୍ସରେ ୧୫.୫୪ ସେକେଣ୍ଡ ତାଙ୍କର ଶ୍ରେଷ୍ଠ ଟାଇମିଂ ରହିଛି। ଆସନ୍ତା ବର୍ଷ ସେ ୧୪ ସେକେଣ୍ଡରୁ କମ୍‌ ସମୟରେ ଏହି ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୁନ୍ଦରଗଡ଼ର ସବିତା ୬ ଭଉଣୀଭାଇଙ୍କ ମଧ୍ୟରୁ ସର୍ବକନିଷ୍ଠ। ଛୋଟ ବେଳରୁ ସେ ପ୍ରତିଭା ପ୍ରଦର୍ଶନ କରି ନିଜ ସ୍କୁଲ୍‌ର ବାର୍ଷିକ ସ୍ପୋଟର୍‌ସ ମିଟ୍‌ରେ ସମସ୍ତ ରେସ୍‌ରେ ବିଜୟୀ ହୋଇଥିଲେ। ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲରେ ଭର୍ତ୍ତି ହେବାପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ହୋଇଥିଲା। ୨୦୧୮ରେ ରୋହତକ୍‌ରେ ଅନୁଷ୍ଠିତ ଏସ୍‌ଜେଏଫଆଇ (ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ) ସ୍କୁଲ ନ୍ୟାଶନାଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ଏଚ୍‌ପିସିରେ ଭର୍ତ୍ତି ହୋଇ ଉଚ୍ଚମାନର ଟ୍ରେନିଂ ପାଇଥିଲେ। ଗୁଣ୍ଟୁରରେ ଅନୁଷ୍ଠିତ ଜାତୀୟ ଜୁନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସେ ୧୬ ବର୍ଷରୁ କମ୍‌ ପେଣ୍ଟାଥଲନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଅବସରରେ ସେ ଜାତୀୟ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ୨୦୨୦ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ରିଲିଆନ୍ସ ଫାଉଣ୍ଡେଶନ ୟୁଥ୍‌ ସ୍ପୋଟର୍‌ସ ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଲଙ୍ଗଜମ୍ପ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ”ଏଚପିସିରେ ସିନ୍ଥେଟିକ୍‌ ଟ୍ରାକ୍‌ରେ ଭଲ କୋଚ୍‌ଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଇପାରୁଛି। ଭଲ ଜିମ୍‌, ରହିବା ସୁବିଧା ଏବଂ କ୍ୱାଲିଟି ରନିଂ ସୁ’ ଉପଲବ୍ଧ ହେଉଛି। ଏହା ପାଇବି ବୋଲି ମୁଁ ପୂର୍ବରୁ କେବେ କଳ୍ପନା କରିପାରି ନ ଥିଲି। ମୋ ବେସିକ୍‌ ସ୍ପିଡ୍‌ ଓ ଷ୍ଟ୍ରେନ୍ଥରେ ଉନ୍ନତି ଆସିଛି“ ବୋଲି ସବିତା ପ୍ରକାଶ କରିଛନ୍ତି।

Share