ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ଭାବେ ବରିଷ୍ଠ ଆଇନଜୀବି ହୃଦୟ ରଞ୍ଜନ ମେକାପ ରାଜ୍ୟ ଆଇନଜୀବି ପରିଷଦ ମନୋନୀତ କରିଛନ୍ତି।ଗୁରୁବାର ଏନେଇ ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ଚିଠି ଆସି ପହଞ୍ଚିଛି। ନିର୍ବାଚନ ସମୟରେ ଓକିଲ ସଂଘର ସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବାପରେ ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ବଜ ସିଂହ ରାଜ୍ୟ ଆଇନଜୀବି ପରିଷଦର ମତାମତ ଲୋଡିଥିଲେ। ପରିଷଦ ପକ୍ଷରୁ ସଂଘର ସବୁଠାରୁ ବରିଷ୍ଠ ଆଇନଜୀବିଙ୍କ ନାମ ସୁପାରିଶ କରିବାକୁ କୁହାଯାଇଥିଲା।ସଂଘ ପକ୍ଷରୁ ହୃଦୟ ରଞ୍ଜନ ମେକାପଙ୍କ ନାମକୁ ଅନୁମୋଦନ ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ଆଇନଜୀବି ପରିଷଦକୁ ପ୍ରେରଣ କରାଯାଇଥିଲା। ତେବେ ସଂଘର କିଛି ଆଇନଜୀବି ହୃଦୟ ରଞ୍ଜନଙ୍କ ନାମକୁ ନେଇ ଆପତ୍ତି ଉଠାଇବା ସହ ରାଜ୍ୟ ଆଇନଜୀବି ପରିଷଦକୁ ଏକ ଅଭିଯୋଗ ପତ୍ର ପଠାଇଥିଲେ। ତେବେ ପରିଷଦ ପକ୍ଷରୁ ସଭାପତି ପଦବୀ ସମ୍ପର୍କରେ ସ୍ପଷ୍ଟୀକରଣ ସ୍ବରୂପ ହୃଦୟ ରଞ୍ଜନ ମେକାପଙ୍କ ନାମକୁ ଗୃହୀତ କରିଥିବାରୁ ଗତ କିଛି ଦିନ ଧରି ଖେମୁଣ୍ଡି ଓକିଲଙ୍କ ମଧ୍ୟରେ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।


