Advertisement

ଭୟଙ୍କର ରୂପ ନେଇଛି ‘ହନ୍ନା’: ୧୪୫ କିଲୋମିଟର ବେଗରେ ବହୁଛି ପବନ

ଟେକ୍ସାସ,୨୭।୭: ଗୋଟିଏ ପଟେ ଆମେରିକାରେ କରୋନା ମହାମାରୀ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଅନ୍ୟପଟେ ଦାଉ ସାଧିଛି ସାମୁଦ୍ରିକ ଝଡ଼ ‘ହନ୍ନା’। ଏହା ବେଡ଼ି ଉପରେ କୋରଡା ମାଡ଼ ଭଳି ହୋଇଛି ଆମେରିକାବାସୀଙ୍କ ପାଇଁ। ସାମୁଦ୍ରିକ ଝଡ଼ ‘ହନ୍ନା’ ଟେକ୍ସାସ ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ୧୪୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ମିଳିଛି। ଏହା ସାଙ୍ଗକୁ ପ୍ରବଳ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି। କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଏହାର ଗାଁ ଅଞ୍ଚଳରେ ବିଜୁଳି ସରୋବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ହନ୍ନାର ପ୍ରଭାବରେ ୧୫-୩୦ ସେଣ୍ଟିମିଟର ବର୍ଷା ହେବାସହ କିଛି ସ୍ଥାନରେ ୪୬ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ପ୍ରଥମେ ମହାମାରୀ କରୋନାକୁ ନେଇ ଆମେ ଯେତିକି ଚିନ୍ତିତ ଥିଲୁ ଏବେ ହନ୍ନା ପୁଣିଥରେ ଆମ ମେରୁଦଣ୍ଡ ଭାଙ୍ଗି ପକାଇଛି। ତେବେ ୨୦୨୦ ଆଟଲାଣ୍ଟିକ ଘୂର୍ଣ୍ଣିଝଡ଼ କ୍ରମରେ ୨ଟି ଝଡ଼ ଆସିଥିବା କୁହାଯାଉଥିବା ବେଳେ ପ୍ରଥମଟି କାର୍ପସ କ୍ରିଷ୍ଟିର ଦକ୍ଷିଣକୁ ପ୍ରାୟ ୧୩୦ ମାଇଲ ଦୂର ପୋର୍ଟ ମ୍ୟାନ୍ସଫିଲ୍ଡର ଉତ୍ତରରେ ପାଖାପାଖି ୧୫ ମାଇଲ ଦୂରରେ ସନ୍ଧ୍ୟା ୫ଟାରେ ଦେଖାଦେଇଥିଲା। ଏହାପରେ ଦ୍ୱିତୀୟଟି ପୋର୍ଟ ମ୍ୟାନ୍ସଫିଲ୍ଡର ଉତ୍ତର ପଶ୍ଚିମରେ ପାଖାପାଖି ୧୫ ମାଇଲ ଦୂର ପୂର୍ବ କେନେଡି କାଉଣ୍ଟିରେ ସନ୍ଧ୍ୟା ୬ଟା ୧୫ରେ ସ୍ଥଳଭାଗ ଛୁଇଁଥିଲା। ଏହାପରେ ପରେ ପ୍ରଶାନ୍ତ ମହାସାଗରରେ ଆସୁଥିବା ‘ଡଗଲସ’ ଘୂର୍ଣ୍ଣିଝଡ଼ ହଓ୍ବାଇ ଅଭିମୁଖେ ଯାଉଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ୍ଡ ଟ୍ରମ୍ପ ଟୁଇଟ କରି କହିଛନ୍ତି କି ପ୍ରଶାସନ ଉଭୟ ସାମୁଦ୍ରିକ ଝଡ଼ ଉପରେ ନଜର ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share