ଘୂର୍ଣ୍ଣିବଳୟ: ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୭(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତରପ୍ରଦେଶ ଉତ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଘେରି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂଭରଞ୍ଜ, ବାଲେଶ୍ୱର, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲାରେ ଘଡ଼ଘଡି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୬ ତାରିଖ ଯାଏ ରାଜ୍ୟର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ଲାଗିରହୁଛି। ଗତ ୪୮ ଘଣ୍ଟା ମଧ୍ୟରେ କୋରାପୁଟରେ ୫ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୫, ନୟାଗଡ଼ ୫, କଳାହାଣ୍ଡି ୪, ଟିଟିଲାଗଡ଼ ୪, କେନ୍ଦ୍ରାପଡ଼ା ୪, ଦେବଗଡ଼ ୩ ଏବଂ ଗଜପତି ଜିଲାରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।

Share