Categories: ଖେଳ

ଜାପାନରେ ଘୂର୍ଣ୍ଣିଝଡ଼, ବର୍ଷା: ବର୍ତ୍ତିଗଲା ଅଲିମ୍ପିକ୍ସ

ରିଫୁ(ଜାପାନ), ୨୯।୭- ବୁଧବାର ଉତ୍ତର ଜାପାନରେ ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ହୋଇଛି। ତେବେ ଟୋକିଓ ଅଞ୍ଚଳକୁ ଆସିବା ପୂର୍ବରୁ ଏହି ଝଡ଼ ବାଟ ଭାଙ୍ଗି ଦୂରକୁ ଚାଲିଯାଇଛି। ଫଳରେ ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ ପ୍ରଭାବିତ ହୋଇନାହିଁ। ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ପବନ ବୋହିଥିଲା। ଏହା ବୁଧବାର ରାତି ସୁଦ୍ଧା ଅକିଟାର ପଶ୍ଚିମ ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଚଳିତ ସିଜନର ଏହା ହେଉଛି ଅଷ୍ଟମ ବାତ୍ୟା। ଟୋକିଓର ୪୦୦ କି.ମି. ଉତ୍ତରପୂର୍ବରେ ଥିବା ମିଆଗି ଅଞ୍ଚଳର ଇଶିନୋମାକିରେ ଏହି ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଥିଲା। ଅଲିମ୍ପିକ୍ସ ଉପରେ ଏହାର ସୀମିତ ପ୍ରଭାବ ଦେଖିବାକୁ ମିଳିଛି। ସର୍ଫିଙ୍ଗ୍‌ ଓ ରୋଇଂର କେତୋଟି ଇଭେଣ୍ଟର କାର୍ଯ୍ୟସୂଚୀକୁ ପୁନଃନିର୍ଦ୍ଧାରିତ କରାଯାଇଛି। ଏହି ବାତ୍ୟାର ପ୍ରଭାବରେ ଜାପାନର ଉତ୍ତରାଞ୍ଚଳରେ ୧୦ ସେଣ୍ଟିମିଟର ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ବାତ୍ୟା ଏବେ ଉତ୍ତରପଶ୍ଚିମାଞ୍ଚଳ ଆଡକୁ ଘଣ୍ଟା ପ୍ରତି ୩୦ କି.ମି. ବେଗରେ ଗତି କରୁଛି। ଧୀରେ ଧୀରେ ଏହାର ପ୍ରଭାବ କମ୍‌ ହେବ ବୋଲି ଆଶା କରାଯାଉଛି।