Categories: ବାଣିଜ୍ୟ

ହୁରୁନ ଗ୍ଲୋବାଲ ତାଲିକା: ଭାରତର ୧୨ କମ୍ପାନୀ ସାମିଲ

ନୂଆଦିଲ୍ଲୀ,୨୨।୮:  ହୁରୁନ ପକ୍ଷରୁ ବିଶ୍ୱର ୫୦୦ ପ୍ରମୁଖ ଭାଲ୍ୟୁ କମ୍ପାନୀଙ୍କ ତାଲିକା ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ଭାରତର ୧୨ କମ୍ପାନୀ ସାମିଲ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଟିସିଏସ୍‌ ଏବଂ ଅନ୍ୟ କମ୍ପାନୀ ରହିଥିବା ଜଣାପଡିଛି। ଗତ ବର୍ଷ ଏହି ତାଲିକାରେ ୧୧ ଭାରତୀୟ କମ୍ପାନୀ ସାମିଲ ରହିଥିଲେ। ପ୍ରଥମ ଥର ଲାଗି ଆଇଟି କମ୍ପାନୀ ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ସହ ପେଣ୍ଟି ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ଏସିଆନ ପେଣ୍ଟସ ଏଥିରେ ସାମିଲ ହୋଇଥିବା ଜଣାପଡିଛି। ତାଲିକାରେ ଓ୍ବିପ୍ରୋ ୪୬୧ ତମ ସ୍ଥାନରେ ରହିଥିବା ବେଳେ ଏସିଆନ ପେଣ୍ଟସ ୪୭୭ତମ ଏବଂ ଏଚ୍‌ସିଏଲ୍‌ ୪୯୮ ତମ ସ୍ଥାନ ହାସଲ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ସ୍ଥାନ ହାସଲ କରିଛି। ଏହାର ଭାଲ୍ୟୁ ୧୧% ବଢି ୧୮୮ ବିଲିୟନ ଡଲାର ଛୁଇଁଛି। ରିଲାଏନ୍ସ ତାଲିକାର ୫୭ତମ ସ୍ଥାନରେ ରହିଛି। ୭୪ତମ ସ୍ଥାନରେ ଟିସିଏସ୍‌ ରହିଥିବା ବେଳେ ଏହାର ଭାଲ୍ୟୁ ୧୬୪ ବିଲିୟନ ଡଲାର ରହିଛି। ଏଚ୍‌ଡିଏଫ୍‌ସି ୧୧୩ ତମ ସ୍ଥାନରେ ଥିବା ବେଳେ ଏହାର ଭାଲ୍ୟୁ ୧୧୩ ବିଲିୟନ ଡଲାର ରହିଛି। ଆପଲ ଦୁନିଆର ସବୁଠୁ ମୂଲ୍ୟବାନ କମ୍ପାନୀ ହୋଇଥିବା ବେଳେ ଏହାର ଭାଲ୍ୟୁ ୧୫% ବଢି ୨.୫ ଲକ୍ଷ କୋଟି ଡଲାର ଛୁଇଁଛି। ଏହା ପଛକୁ ମାଇକ୍ରୋସଫ୍ଟ, ଆମାଜନ ଏବଂ ଆଲ୍‌ଫାବେଟ ରହିଛି। ତାଲିକାରେ ସାମିଲ ହୋଇଥିବା ଅଧିକାଂଶ କମ୍ପାନୀ ମଧ୍ୟରୁ ଆମେରିକା ୨୪୩ କମ୍ପାନୀ ରହିଛନ୍ତି। ସେହିଭଳି ଚାଇନାର ୪୭, ଜାପାନର ୩୦, ବ୍ରିଟେନର ୨୪ ଏବଂ ଅଷ୍ଟ୍ରେଲିଆର ୯ କମ୍ପାନୀ ରହିଥିବା ଜଣାପଡ଼ିଛି।

Share